ଆଜି ତୃତୀୟ ଟି୨୦: ସିରିଜ୍ କବ୍‌ଜା ଲକ୍ଷ୍ୟରେ ଭାରତ

ଗୁଆହାଟୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ଖେଳାଯିବ । ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଅଗ୍ରଣୀ ରହିଥିବା ଯୁବ ଭାରତୀୟ ଦଳ ଜୟଯାତ୍ରା ଜାରି ରଖି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆଗୁଆ କବ୍‌ଜା କରିବାକୁ ଚାହିଁବ । ଏହା ସହିତ ଭାରତୀୟ ମଧ୍ୟକ୍ରମ ବ୍ୟାଟର ତିଳକ ବର୍ମା କିଛି ସମୟ ପିଚ୍‌ରେ ଅତିବାହିତ କରିବାକୁ ଚାହିଁବେ। ବିଶ୍ୱ କପ୍ ପରେ ଶ୍ରେୟସ ଆୟରଙ୍କୁ ୧ ସପ୍ତାହର ବିଶ୍ରାମ ଦିଆଯାଇଥିବା ବେଳେ ରାୟପୁରରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚରୁ ସେ ପ୍ରତ୍ୟାବର୍ତ୍ତନ କରିବେ। ଅନ୍ତିମ ଦୁଇ ମ୍ୟାଚ୍ ପାଇଁ ଆୟରଙ୍କୁ ଉପ ଅଧିନାୟକ ଚୟନ କରାଯାଇଥିବା ବେଳେ ସେ ଚୂଡାନ୍ତ ଏକାଦଶରେ ସାମିଲ ହେବାର ସମ୍ଭାବନା ଅଧିକ। ତେଣୁ ଆୟର ସାମିଲ ହେଲେ ତିଳକ ବର୍ମା ହିଁ ଏକମାତ୍ର ଖେଳାଳି ଭାବେ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଏହାର ବ୍ୟାଟିଂ ପ୍ରଦର୍ଶନ ବଳରେ ବିଜୟୀ ହୋଇଛି। ସମାନ ପ୍ରଦର୍ଶନ ଆସାମର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ଖେଳାଳି ଥକି ଯାଇଥିବା ଭଳି ମନେହେଉଛି। ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ୍ ଷ୍ଟୋଇନିସ ଓ ଆଡାମ୍ ଜାମ୍ପାଙ୍କ ଭଳି ଖେଳାଳି ବିଗତ ୯ ସପ୍ତାହ ହେବ ଭାରତରେ ରହିଛନ୍ତି। ଏହି ୪ ଖେଳାଳି ଥକି ଯାଇଥିବା ପରି ମନେହେଉଥ‌ିବା ବେଳେ ଅନ୍ୟ ଖେଳାଳିମାନେ ଭାରତୀୟ ପରିବେଶ ସହିତ ଆକଷ୍ଟ କରି ନାହାନ୍ତି। ଏହି ୪ ବରିଷ୍ଠ ଖେଳାଳି ଆସନ୍ତା ମାସରୁ ବିଗ୍ ବାସ୍ ଖେଳିବେ ।

Comments are closed.