ଫର୍ମକୁ ଫେରିଲେ ରାହୁଲ, ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ

ମୁମ୍ବାଇ: ପେସ୍ ଯୋଡ଼ି ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ଘାତକ ପ୍ରଦର୍ଶନ ପରେ କେଏଲ୍ ରାହୁଲ ଫର୍ମକୁ ଫେରି ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତ ଶୁକ୍ରବାର ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ସାମି-ସିରାଜ ଘାଇଲା କରିଥିଲେ । ଅଷ୍ଟ୍ରେଲିଆ ପୂରା ୫୦ ଓଭର ମଧ୍ୟ ଖେଳିପାରିନଥିଲା । ଦଳ ୩୫.୪ ଓଭରରେ ୧୮୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଉଭୟ ସାମି ଓ ସିରାଜ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୯ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ଏକଦା ୧୬ ରନରେ ୩ଟି ୱିକେଟ୍ ହରାଇଥିଲା । ହେଲେ ଫର୍ମ ଫେରିପାଇଥିବା ରାହୁଲ ଓ ଜାଡେଜାଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ବଳରେ ଭାରତ ୩୯.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଖରାପ ଫର୍ମ ପାଇଁ ଚାପରେ ଥିବା ରାହୁଲ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ ସହ ୯୧ଟି ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୭୫ ରନ୍ କରିଥିଲେ । ଜାଡେଜା ୬୯ଟି ବଲରେ ୫ଟି ଚୌକା ସହ ୪୫ ରନ୍ କରି ଅପରାଜିତ ରହିଥିଲେ । ଦୁହେଁ ଅବିଭକ୍ତ ଷଷ୍ଠ ୱିକେଟ୍ ଭାଗିଦାରୀରେ ୧୦୮ ରନ୍ ଯୋଗକରି ଦଳକୁ ବିଜୟମଣ୍ଡିତ କରିଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯିବ ।

ଟାର୍ଗେଟ୍ ସେତେ ବଡ଼ ନଥିଲେ ମଧ୍ୟ ଭାରତ ପାଇଁ ବିଜୟ ସହଜ ନଥିଲା । ନୂଆ ବଲରେ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ ପେସ୍ ଓ ସୁଇଂ ସହ ଭାରତୀୟ ଟପ୍ ଅର୍ଡରକୁ ଘାଇଲା କରିଥିଲେ । ଷ୍ଟୋଇନିସ୍ ପ୍ରଥମେ ଇଶାନ କିଶନ (୩)ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ବିରାଟ କୋହଲି (୪)ଙ୍କୁ ଏଲବିଡବ୍ଲୁ କରାଇଥିଲେ ଷ୍ଟାର୍କ । ପରବର୍ତ୍ତୀ ବଲରେ ସେ ସୂର୍ଯ୍ୟକୁମାର ଯାଦବ (୦)ଙ୍କୁ ପ୍ୟାଭିଲିୟନ୍ ଫେରାଇ ଆଉ ଏକ ଝଟକା ଦେଇଥିଲେ । ଭାରତ ୧୬ ରନରେ ୩ଟି ୱିକେଟ୍ ହରାଇଥିଲା । ଫର୍ମରେ ଥିବା ଶୁଭମାନ ଗିଲ୍ (୨୦) କିଛି ସକାରାତ୍ମକ ସଟ୍ ଖେଳିଥିଲେ ମଧ୍ୟ ଅତ୍ୟଧିକ ଆକ୍ରମଣାତ୍ମକ ହୋଇ ନିଜ ୱିକେଟ୍ ହରାଇଥିଲେ । ସେ ଷ୍ଟାର୍କଙ୍କ ତୃତୀୟ ଶିକାର ବନିଥିଲେ । ଭାରତ ସେତେବେଳେକୁ ୩୯ ରନରେ ୪ଟି ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା ।

ଟପ୍ ଅର୍ଡର ବିପର୍ଯ୍ୟୟ ମଧ୍ୟରେ ରାହୁଲଙ୍କ ସହ ଯୋଗ ଦେଇଥିଲେ କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଦୁହେଁ ପଞ୍ଚମ ୱିକେଟରେ ୪୪ ରନ୍ ଯୋଗ କରିଥିଲେ । ହେଲେ ପାଣ୍ଡ୍ୟାଙ୍କୁ ଆଉଟ୍ କରି ଷ୍ଟୋଇନିସ୍ ଏହି ଯୋଡ଼ି ଭାଙ୍ଗିିଥିଲେ । ଏହାପରେ ରାହୁଲ ଓ ଜାଡେଜା ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ଔପଚାରିକତା ପୂରଣ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ଓ ଷ୍ଟୋଇନିସ୍ ୨ଟି ୱିକେଟ୍ ନେଇଥିଲେ ।

ପୂର୍ବରୁ ଭାରତର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦଳର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଠିକ ସାବ୍ୟସ୍ତ କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଓଭରର ଶେଷ ବଲରେ ସିରାଜ ୫ ରନ କରିଥିବା ଟ୍ରାଭିସ ହେଡ୍‌ଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ।

ତେବେ ମାର୍ଶ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ୱିତୀୟ ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହି ସମୟରେ ମାର୍ଶଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିବାରୁ ହିଜେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲିଆର ସ୍କୋର ୭୭ ଥିବା ବେଳେ ସେ ୨୨ ରନ କରିଥିବା ସ୍ମିଥଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ସ୍ମିଥ ଆଉଟ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ମାର୍ଶଙ୍କ ଉପରେ ପଡ଼ି ନଥିଲା। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ଲାଗିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ରବୀନ୍ଦ୍ର ଜାଡେଜା ୮୧ ରନ କରିଥିବା ମାର୍ଶଙ୍କୁ ସିରାଜଙ୍କ ହାତରେ କ୍ୟାଚ କରାଇ କଙ୍ଗାରୁ ଟିମକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଅଷ୍ଟ୍ରେଲିଆର ଜଣଙ୍କ ପରେ ଜଣେ ବ୍ୟାଟର ଆଉଟ ହେବାରେ ଲାଗିଥିଲେ। ଜୋଶ ଇଙ୍ଗଲିଶ ୨୬ ରନ କରି କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତାଙ୍କୁ ମହମ୍ମଦ ଶାମି କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆକୁ ଝଟକା ଦେଇଥିଲେ ।

ମାର୍ନସ ଲାବୁସେନ(୧୫)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିବା ବେଳେ କାମେରନ ଗ୍ରୀନ(୧୫)ଙ୍କୁ ଶାମି, ଗ୍ଲେନ ମ୍ୟାକ୍ସୱେଲ(୮)ଙ୍କୁ ଜାଡେଜା ଓ ମାର୍କସ ଷ୍ଟୋଇନିସ(୫) ଶାମିଙ୍କ ଶିକାର ବନିଥିଲେ। ଶେଷ ଭାଗରେ ସିରାଜ ତାଙ୍କ କମାଲ ଦେଖାଇଥିଲେ। ସେ ପ୍ରଥମେ ସେନ ଆବ୍ବୋଟ୍ଟ(୦) ଓ ଆଡାମ ଜାମ୍ପା(୦)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସକୁ ୧୮୮ ରନରେ ଅଟକାଇ ଦେଇଥିଲେ।

ଭାରତ ପକ୍ଷରୁ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି, ହାର୍ଦ୍ଦିକ ଓ କୁଲଦୀପ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଶାମି ୬ ଓଭରରେ ମାତ୍ର ୧୭ ରନ ଓ ସିରାଜ ୫.୪ ଓଭରରେ ୨୯ ରନ ଦେଇଥିଲେ ।

Comments are closed.