ରୋହିତ ଧମାକା: ଅଷ୍ଟ୍ରେଲିଆକୁ ହରାଇ ସିରିଜ ବରାବର କଲା ଭାରତ

ନାଗପୁର: କ୍ୟାପଟେନ ରୋହିତ ଶର୍ମାଙ୍କ ଧମାକାଦାର ଇନିଂସ ବଳରେ ଭାରତ ଏଠାରେ ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଛି । ଏଥସହ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ରେ ବରାବର ସ୍ତରକୁ ଆଣିଛି | ବର୍ଷା ଓ ଓଦା ଆଉଟ୍ ଫିଲ୍ଡ ଯୋଗୁଁ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ୮ ଓଭର ବିଶିଷ୍ଟ କରାଯାଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ପାଞ୍ଚ ୱିକେଟ୍ ହରାଇ ୯୦ ରନ୍ କରିଥିଲା।

ଏହାର ଜବାବରେ ଭାରତ ୪ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ମାତ୍ର ୨୦ଟି ବଲରେ ୪ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ବିସ୍ଫୋରକ ୪୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଦିନେଶ କାର୍ତ୍ତିକ ଦୁଇଟି ବଲରେ ଗୋଟିଏ ଚୌକା ଓ ଛକା ସହ ଅପରାଜିତ ୧୦ ରନ୍ କରି ମ୍ୟାଚ୍ ଫିନିଶ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ୧୦, କୋହଲି ୧୧, ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ଆଡାମ୍ ଜାମ୍ପା ୩ଟି ଓ୍ବିକେଟ୍ ନେଇଥିଲେ । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ହାଇଦ୍ରାବାଦରେ ଖେଳାଯିବ ।

ପୂର୍ବରୁ ମ୍ୟାଚ୍‌ ୮ ଓଭର ବିଶିଷ୍ଟ କରାଯାଇଥିବା ବେଳେ ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ହିଁ ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ଗ୍ରୀନ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ଓଭର ହାର୍ଦ୍ଦିକ ପାଣ୍ତ୍ୟା ବୋଲିଂ କରୁଥିବା ବେଳେ ୧୦ ରନ ଦେଇଥିଲେ। ଦ୍ୱିତୀୟ ଓଭରରେ ଅକ୍ଷର ପଟେଲ ପକାଇଥିଲେ। ଏହି ଓଭରରେ ୫ ରନ କରିଥିବା ଗ୍ରୀନ ରନ ଆଉଊଟ ହୋଇଥିଲେ ଓ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିତବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ।

ସେହିପରି ତୃତୀୟ ଓଭରେ ୟୁଜି ଚହଲ ୧୨ ରନ ବ୍ୟୟ କରିଥିଲେ। ୪ର୍ଥ ଓଭରରେ ଅକ୍ଷର ମାତ୍ର ୪ ରନ ଦେଇ ବିସ୍ଫୋରକ ବ୍ୟାଟର ଟିମ୍ ଟାଭିଡ(୨)ଙ୍କୁ ଆଉଟ କରିଥିଲେ। ୫ମ ଓଭର ବୋଲିଂ କରିବାକୁ ଆସିଥିଲେ ଯଶପ୍ରୀତ ବୁମ୍ରା। ସେ ୱାଇଡରୁ ନିଜର ସ୍ପେଲ ଆରମ୍ଭ କରିଥିଲେ। ଏଥିସହ ଫିଞ୍ଚ ମଧ୍ୟ ତାଙ୍କୁ ଚୌକା ମାରିଥିଲେ। କିନ୍ତୁ ଶେଷ ବଲରେ ସେ ୩୧ ରନ କରିଥିବା ଫିଞ୍ଚଙ୍କୁ କ୍ଲିନବୋଲ୍ଟ କରି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ।

ଭ୍ରମଣକାରୀ ଟିମ୍ ୪୬ ରନରେ ୪ ୱିକେଟ ହରାଇଥିଲା। ୬ଷ୍ଠ ଓଭରରେ ହର୍ଷଲ ପଟେଲ ୧୩ ରନ ଦେବାରୁ ଦଳୀୟ ସ୍କୋର ୫୯ରେ ପହଞ୍ଚିଥିଲା। ୭ମ ଓଭରରେ ବୁମ୍ରା ୧୨ ରନ ଦେଇଥିଲେ। ଶେଷ ଓଭର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହର୍ଷଲ ପଟେଲଙ୍କୁ ମାଥ୍ୟୁ ୱେଡ ବଡ଼ବଡ଼ ଶଟ ଖେଳିଥିଲେ। ଏଥିସହ ଏହି ଓଭରରେ ୩ଟି ଛକା ସହ ୧୯ ରନ ଆଦାୟ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୮ ଓଭରରେ ସୁଦ୍ଧା ୯୦ ରନରେ ପହଞ୍ଚିଥିଲା। ଶେଷ ବଲରେ ଷ୍ଟିଭ ସ୍ମିଥ(୭) ରନ ଆଉଟ ହୋଇଥିଲେ। କିନ୍ତୁ ୱେଡ ୨୦ ବଲରେ ଅପରାଜିତ ୪୩ ରନ କରି କ୍ରିଜରେ ରହିଥିଲେ।

Comments are closed.