ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ଚତୁର୍ଥ ଟେଷ୍ଟକୁ ୧୫୭ ରନ୍‌ରେ ଜିତିଲା ଭାରତ, ୨-୧ରେ ସିରିଜ୍ ଅଗ୍ରଣୀ

ଲଣ୍ଡନ: ହେଡିଂଲେ ଟେଷ୍ଟରେ ଇନିଂସ୍ ପରାଜୟ ପରେ ଲଣ୍ଡନର ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଭାରତ ୧୫୭ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି । ଭାରତ ପ୍ରଦତ୍ତ ୩୬୮ ରନର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ପଞ୍ଚମ ଦିବସରେ ୨୧୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପଞ୍ଚମ ଦିବସରେ ଏକ ଫ୍ଲାଟ୍ ପିଚ୍‌ରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି ୱିକେଟ୍ ହାସଲ କରିଥିବା ବେଳେ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

୩୬୮ ରନ୍‌ର ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡକୁ ମଜବୁତ ଷ୍ଟାର୍ଟ ଦେଇଥିଲେ ଦୁଇ ଓପନର ରରି ବର୍ନସ୍ (୫୦) ଓ ହାସିବ୍ ହମିଦ୍ (୬୩) । ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ ୭୭ ରନ୍ କରିନେଇଥିଲା । ଆଜି ପଞ୍ଚମ ତଥା ଶେଷ ଦିବସରେ ଇଂଲଣ୍ଡକୁ ବିଜୟ ପାଇଁ ଆଉ ୨୯୧ ରନ୍ ଓ ଭାରତକୁ ୧୦ ୱିକେଟ୍ ଆବଶ୍ୟକ ହେଉଥିଲା । ଲଞ୍ଚ୍ ବିରତି ସୁଦ୍ଧା ଇଂଲଣ୍ଡ ୨ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା । ହେଲେ ଦ୍ୱିତୀୟ ସେସନ୍‌ରେ ଭାରତ ୬ଟି ୱିକେଟ୍ ଖସାଇ ବିଜୟ ନିଶ୍ଚିତ କରିଥିଲା । ବିଶେଷକରି ବୁମ୍‌ରା କ୍ରମାଗତ ଓଭରରେ ଓଲି ପୋପ୍ (୨) ଓ ଜନି ବେୟାରଷ୍ଟୋ (୦)ଙ୍କୁ ବୋଲ୍ଡ କରି ଇଂଲଣ୍ଡକୁ ବଡ଼ ଝଟକା ଦେଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ମୋଇନ ଅଲ୍ଲୀ ମଧ୍ୟ ଖାତା ଖୋଲିନପାରି ଜାଡେଜାଙ୍କ ଶିକାର ହୋଇଥିଲେ । ଇନଫର୍ମ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ (୩୬)ଙ୍କୁ ଠାକୁର ଆଉଟ୍ କରିବା ପରେ ଭାରତକୁ କେବଳ ଔପଚାରିକା ପୂରଣ କରିବାୁ ପଡ଼ିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ପ୍ରଥମ ଇନିଂସ୍‌ରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ୨୯୦ ରନ୍ କରିଥିଲା । ତେବେ ୯୯ ରନ୍ ପଛୁଆ ରହିବା ପରେ ଦ୍ୱିତୀୟ ଇନିଂସ୍‌ରେ ଭାରତ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଓପନର ରୋହିତ ଶର୍ମାଙ୍କ ଶତକ ଏବଂ ପୂଜାରା, ଠାକୁର ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସ୍‌ରେ ୪୬୬ ରନ୍ କରି ଅଲଆଉଟ୍ ହୋଇଥିଲା । ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ସେପ୍ଟେମ୍ବର ୧୦ରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବ ।

Comments are closed.