ଦ୍ୱିତୀୟ ଟି-୨୦ରେ ଆୟର୍ଲାଣ୍ଡକୁ ୪ ରନରେ ହରାଇ ଭାରତ ୨-୦ରେ ସିରିଜ୍ ବିଜୟୀ

ଡବଲିନ: ଦୀପକ ହୁଡାଙ୍କ ଚମତ୍କାର ଶତକ ଓ ସଞ୍ଜୁ ସାମସନଙ୍କ ସହ ତାଙ୍କର ରେକର୍ଡ ଭାଗିଦାରୀ ସହାୟତାରେ ମଙ୍ଗଳବାର ଅନୁଷ୍ଠିତ ରୋମାଞ୍ଚକର ଦ୍ବିତୀୟ ତଥା ଅନ୍ତିମ ଟି-୨୦ରେ ଭାରତ ୪ ରନରେ ଆୟର୍ଲାଣ୍ଡକୁ ହରାଇଛି ।

ବୃହତ ସ୍କୋର କରିବା ପରେ ମଧ୍ୟ ଭାରତକୁ ପାଣି ପିଆଇ ଦେଇଥିଲା ଆୟର୍ଲାଣ୍ଡ । ଭାରତ ପାଇଁ ବିଜୟ କଷ୍ଟକର ହୋଇଯାଇଥିଲା। ଶେଷ ପର୍ଯ୍ୟନ୍ତ ଲଢେଇ କରି ଆୟର୍ଲାଣ୍ଡ ମାତ୍ର ୪ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା । ଏହି କଷ୍ଟସାଧ୍ୟ ବିଜୟ ସହ ଭାରତ ଦୁଇ ମ୍ୟାଚ୍ ସିରିଜକୁ ୨-୦ରେ ପୋଛି ନେଇଛି ।

ଦୀପକ ହୁଡ଼ା ଚତୁର୍ଥ ଭାରତୀୟ ଭାବେ ଟି-୨୦ କ୍ରିକେଟ୍‌ରେ ଶତକ ଅର୍ଜନ କରିଥିଲେ । ସଞ୍ଜୁ ସାମସନ ମଧ୍ୟ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଉଭୟଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଭାରତ ୭/୨୨୫ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲା। ଜବାବରେ ଆୟର୍ଲାଣ୍ଡ ୫ ୱିକେଟ୍‌ ହରାଇ ୨୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ହୁଡ଼ା ଉଭୟ ପ୍ଲେୟାର ଅଫ ଦ ମ୍ୟାଚ୍ ଓ ସିରିଜ୍ ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଇଶାନ କିଷନ ଓ ସଞ୍ଜୁ ସାମସନ ପାଳି ଆରମ୍ଭ କରିଥିଲେ । କିଷନ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ଼ା ଅପରାଜିତ ସାମସନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ। ଉଭୟ ବିସ୍ଫୋରକ ଇନିଂସ୍ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ। ହୁଡ଼ା ମାତ୍ର ୨୭ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ସାମସନ ମଧ୍ୟ ତାଙ୍କ ସହ ତାଳ ଦେଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଚୌକା ଓ ଛକାର ବର୍ଷା ହୋଇଥିଲା।

୧୭୬ ରନ୍‌ର ରେକର୍ଡ ଭାଗିଦାରୀ ଗଠନ ହୋଇଥିଲା ଦଳୀୟ ସ୍କୋର ୧୮୯ ବେଳେ ସାମସନ ବ୍ୟକ୍ତିଗତ ୭୭(୯ଚୌକା ଓ ୪ଛକା) ରନ୍ କରି ପାଭିଲିୟନ ଲେଉଟିଥିଲେ । ହୁଡାଙ୍କୁ ଅଟକାଇବା ସମ୍ଭବ ନଥିଲା। ସେ ୫୫ଟି ବଲ୍‌ରୁ ଶତକ ପୂରଣ କରିଥିଲେ । ୧୮ତମ ଓଭରରେ ଜୋସ ଲିଟିଲ ଉଭୟ ସୂର୍ଯ୍ୟକୁମାର(୧୫) ଓ ହୁଡ଼ାଙ୍କୁ ଆଉଟ୍‌ କରିଥିଲେ। ହୁଡ଼ା ୫୭ଟି ବଲ୍‌ର ସାମ୍ନା କରି ୯ଚୌକା ଓ ୬ଛକା ବଳରେ ୧୦୪ ରନ୍‌ କରିଥିଲେ। ଏହାପରେ ଦଳ ସହଳ ଆଉ କିଛି ୱିକେଟ୍ ହରାଇଥିଲେ ହେଁ ଅଧୁନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ପଟେ ଅପରାଜିତ ରହି ଦଳୀୟ ସ୍କୋରକୁ ୨୨୫ ରେ ପହଞ୍ଚାଇଥିଲେ ।

୧୨୦ ବଲ୍‌ରେ ୨୨୬ ରନ୍‌ର ଲକ୍ଷ୍ୟ ଅସମ୍ଭବ ମନେ ହେଉଥିଲେ ହେଁ ଆୟର୍ଲାଣ୍ଡର ଦୁଇ ଓପନର
ପଲ ଷ୍ଟଲିଂ ଓ ଆଣ୍ଡି ବଲ୍‌ବର୍ନି ଚୌକା ଓ ଛକା ବର୍ଷା କରି ୭୨ ରନ୍‌ର ଭାଗିଦାରୀ ଗଢିଥିଲେ । ମାତ୍ର ୧୮ଟି
ବଲ୍‌ରୁ ୪୦(୫ଚୌକା, ୩ଛକା) ରନ୍‌ କରି ଷ୍ଟଲିଂ ଆଉଟ୍‌ ହୋଇଥିଲେ । ପରେ ପରେ ଗ୍ୟାରେଥ ଡେଲାନି(୨)
ରନ୍ ଆଉଟ୍ ହୋଇଥିଲେ । ବଲ୍‌ବର୍ନି ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ୯ ଓଭର ମଧ୍ୟରେ ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ହର୍ଷଲ
ପଟେଲ ୧୧ତମ ଓଭରରେ ବଲବର୍ନିଙ୍କୁ ଆଉଟ୍ କରି ଦଳକୁ ଆଶ୍ବସ୍ତ କରିଥିଲେ। ସେ ୩୭ଟି ବଲ୍‌ରୁ ୩ଚୌକା ଓ ୭ଟି ବିଶାଳ ଛକା ବଳରେ ୬୦ ରନ୍ କରି ଆଉଟ୍ ହୋଇଥିଲେ । ଏଥର ମ୍ୟାଚ୍ ଭାରତ ନିୟନ୍ତ୍ରଣକୁ ଆସିବା ଆଶା କରାଯାଉଥିଲା। କିନ୍ତୁ ହ୍ୟାରୀ ଟେକ୍ଟର ଓ ଜର୍ଜ ଡକରେଲ ଆଉ ୪୭ରନ୍‌ର ଭାଗିଦାରୀ ଗଢି ଭାରତକୁ ନିରାଶ କରିଥିଲେ। ଦଳୀୟ ସ୍କୋର ୧୮୯ ଥିବା ବେଳେ ଟେକ୍ଟର ୩୯ ରନ୍ କରି ଆଉଟ୍ ହୋଇଥିଲେ।

ତଥାପି ଆୟର୍ଲାଣ୍ଡ ଲଢେଇ ଜାରି ରଖିଥିଲା। ମାର୍କ ଅଡେୟର ଓ ଡକରେଲ ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ବିଜୟୀ କରାଇପାରି ନଥିଲେ । ଶେଷ ଓଭରରେ ବିଜୟ ପାଇଁ ୧୭ ରନ୍‌ ଆବଶ୍ୟକ ଥିଲା । ପ୍ରଥମ ୩ ଓଭରରେ ୩୧ ରନ୍ ପ୍ରଦାନ କରିଥିବା ଉମ୍ରାନ ଏହି ଓଭରରେ ୧୨ ରନ୍ ପ୍ରଦାନ କରି ଆୟର୍ଲାଣ୍ଡକୁ ଅଟକାଇବାରେ ସଫଳ ହୋଇଥିଲେ। ଆଡେୟର ୧୨ ଓ ଡକରେଲ ୩୪ ରନ୍‌ କରି ଅପରାଜିତ ରହିଥିଲେ ।

Comments are closed.