ଦ୍ବିତୀୟ ଟେଷ୍ଟ ଦୁଇ ଦିନରେ ଶେଷ, ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ; ସିରିଜ୍ ୧-୧ରେ ଡ୍ର

କେପଟାଉନ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷରେ ହୋଇଛି । ପ୍ରଥମ ଟେଷ୍ଟରେ ଇନିଂସ୍ ପରାଜୟ ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଛି । ଏଡେନ ମାର୍କ୍ରମଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ମାତ୍ର ୭୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ୩ ଓ୍ବିକେଟ୍ ହରାଇ ମାତ୍ର ୧୨ ଓଭରରେ ଏହି ଟାର୍ଗେଟ୍ ହାସଲ କରିନେଇଥିଲା । ଏହି ବିଜୟ ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ଡ୍ର କରିଛି।

କେପଟାଉନରେ ଭାରତୀୟ ଦଳର ଏହା ପ୍ରଥମ ଟେଷ୍ଟ ବିଜୟ। ଏହା ପୂର୍ବରୁ କେପଟାଉନରେ ଭାରତ ୬ଟି ଟେଷ୍ଟ ଖେଳିଥିଲେ ମଧ୍ୟ ୪ଟି ହାରିଥିଲା । ଆଉ ୨ଟି ମ୍ୟାଚ୍ ଡ୍ର ରହିଥିଲା। ସଦ୍ୟତମ ବିଜୟ କେପଟାଉନରେ କୌଣସି ଏସୀୟ ଦଳର ପ୍ରଥମ ବିଜୟ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ମାତ୍ର ୧୦୭ ଓଭରରେ ଶେଷ ହୋଇଛି। ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ହେଉଛି ଶୀଘ୍ର ଶେଷ ହୋଇଥିବା ମ୍ୟାଚ୍। ଏହା ପୂର୍ବରୁ ୧୯୩୨ ମସିହାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍ ୧୦୯ ଓଭରରେ ଶେଷ ହୋଇଥିଲା ।

ଭାରତୀୟ ଦଳ ପାଇଁ ଦ୍ୱିତୀୟ ଇନିଂସରେ ଯଶସ୍ବୀ ଜୈସୱାଲ ୨୩ଟି ବଲରେ ୨୮ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସରେ ୬ଟି ଚୌକା ସାମିଲ ଥିଲା । ବିରାଟ କୋହଲି ୧୨ ଏବଂ ଶୁଭମାନ ଗିଲ୍ ୧୦ ରନ କରି ଆଉଟ୍ ହୋଇଥିଲେ। କ୍ୟାପଟେନ୍ ରୋହିତ ଶର୍ମା ୧୭ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ସହ ଶ୍ରେୟସ ଆୟର ୪ ରନରେ ଅପରାଜିତ ରହିଥିଲେ ।

ପ୍ରଥମ ଇନିଂସରେ ୬ ଓ୍ବିକେଟ୍ ସହ ମ୍ୟାଚରେ ମୋଟ ୭ ଓ୍ବିକେଟ୍ ନେଇଥିବା ମହମ୍ମଦ ସିରାଜ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଦ୍ବିତୀୟ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟର ଡିନ୍ ଏଲଗାର ଓ ଟିମ୍ ଇଣ୍ଡିଆ ପେସର୍ ବୁମରା ମିଳିତ ଭାବେ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଛନ୍ତି ।

ମ୍ୟାଚର ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର୍ ୬୨/୩ରୁ ଆଗକୁ ଖେଳିଥିଲା । ହେଲେ ଯସପ୍ରୀତ ବୁମରା ଘାତକ ପ୍ରଦର୍ଶନ ସହ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ଖସାଇଥିଲେ। ଦ୍ବିତୀୟ ଦିନର ପ୍ରଥମ ଓଭରରେ ହିଁ ଓ୍ବିକେଟ୍ ନେଇ ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ବୁମରା । ଗୋଟିଏ ପଟେ ଓ୍ବିକେଟ୍ ପତନ ଘଟି ଚାଲିଥିବା ବେଳେ ଅନ୍ୟପଟେ ଏଡେନ ମାର୍କ୍ରମ ଲଢ଼ୁଆ ଶତକ ସହ ଦକ୍ଷିଣ ଆଫ୍ରିକା ସ୍ଥିତି କିଛି ମାତ୍ରାରେ ସମ୍ଭାଳିଥିଲେ । ଅଷ୍ଟମ ଓ୍ବିକେଟରେ ସେ କାଗିସୋ ରାବାଡାଙ୍କ ସହ ୫୧ ରନ୍ ଯୋଡ଼ିଥିଲେ। ଶେଷରେ ମାର୍କ୍ରାମଙ୍କୁ ଆଉଟ୍ କରି ସିରାଜ୍ ଭାରତକୁ ଆଶ୍ବସ୍ତି ଦେଇଥିଲେ। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୧୭୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଦଳ ପକ୍ଷରୁ ମାର୍କ୍ରମ ୧୦୩ ବଲରେ ୧୭ଟି ଚୌକା ଓ ୩ଟି ଛକା ସହ ଲଢ଼ୁଆ ୧୦୬ ରନ୍ କରିଥିଲେ । ଅବଶ୍ୟ ସେ ୭୩ ରନ୍ କରିଥିବା ବେଳେ ଭାରତୀୟ ଓ୍ବିକେଟ୍ କିପର କେଏଲ୍ ରାହୁଲ ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ ।

ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ବୁମରା ୬ଟି ଓ୍ବିକେଟ୍ ନେଇଥିଲେ । ମୁକେଶ କୁମାର ୨ଟି ଓ୍ବିକେଟ୍ ହାସଲ କରିଥିଲେ । ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ମାତ୍ର ୫୫ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ସିରାଜ୍ ୧୫ ରନରେ ୬ଟି ଓ୍ବିକେଟ୍ ନେଇଥିଲେ । ଏହାର ଜବାବରେ ଭାରତ ୧୫୩ ରନ୍ କରି ଆଉଟ୍ ହୋଇଥିଲା । ପ୍ରଥମ ଦିନରେ ମୋଟ ୨୩ଟି ଓ୍ବିକେଟର ପତନ ଘଟିଥିଲା ।

Comments are closed.