ତୃତୀୟ ଦିନିକିଆ: ୱେଷ୍ଟଇଣ୍ଡିଜକୁ ୧୧୯ ରନ୍‌ରେ ହରାଇ ସିରିଜ୍ ୩-୦ରେ ପୋଛିନେଲା ଭାରତ | News Room Odisha

ତୃତୀୟ ଦିନିକିଆ: ୱେଷ୍ଟଇଣ୍ଡିଜକୁ ୧୧୯ ରନ୍‌ରେ ହରାଇ ସିରିଜ୍ ୩-୦ରେ ପୋଛିନେଲା ଭାରତ

ପୋର୍ଟ ଅଫ ସ୍ପେନ: ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୧୧୯ ରନ୍‌ରେ ହରାଇଛି ଭାରତ । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ଦୁଇ ଦୁଇ ଥର ବର୍ଷା ବାଧକ ଯୋଗୁଁ ଭାରତୀୟ ଇନିଂସରେ ୩୬ ଓଭର ହିଁ ସମ୍ଭବ ହୋଇଥିଲା । କ୍ୟାପଟେନ୍ ଶିଖର ଧାୱନ ଓ ଶୁଭମାନ ଗିଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୬ ଓଭରରେ ୩ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା । ଡକ୍ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ୍ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଦଳ ୨୬ ଓଭରରେ ୧୩୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।

୨୫୭ ରନ୍ ବିଜୟଲକ୍ଷ୍ୟ ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦ୍ଵିତୀୟ ଓଭରରେ ମହମ୍ମଦ ସିରାଜ ଉଭୟ କେଲି ମେୟର୍ସ ଓ ସାମରା ବ୍ରୁକ୍ସଙ୍କୁ ଆଉଟ୍ କରିଥିଲେ। ଉଭୟ ଖାତା ଖୋଲି ପାରି ନଥିଲେ। ମଧ୍ୟଭାଗରେ ବ୍ରାଣ୍ଡନ କିଙ୍ଗ୍‌ସ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ହେଲେ ଉଭୟଙ୍କ ୱିକେଟ୍‌ର ପତନ ପରେ ୱେଷ୍ଟ ଇଣ୍ଡିଜ୍‌ ପରାଜୟ ନିଶ୍ଚିତ ହୋଇଯାଇଥିଲା। ଅନ୍ୟ କୌଣସି ବ୍ୟାଟର କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୧୩୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ତରଫରୁ କିଙ୍ଗ୍ ୪୨(୫ଚୌକା, ୧ଛକା), ପୂରନ୍ ୪୨(୫ଚୌକା, ୧ଛକା) ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ ୨୨, କିସ୍ କାର୍ତି ୫, ଅକିଲ ହୋସେନ ୧ ଓ ଜାସନ ହୋଲ୍ଡର ଅପରାଜିତ ୯ ରନ୍ କରିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଶିଖର ଧାୱନ ଓ ଶୁଭମନ ଗିଲ୍ ଦଳକୁ ମଜବୁତ ଷ୍ଟାର୍ଟ ଦେଇଥିଲେ । ଧାୱନ ୬୨ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଶେଷରେ ୨୩ତମ ଓଭରରେ ହେଡେନ ୱାଲ୍ସ ଯୋଡି ଭାଙ୍ଗି ବାରେ ସଫଳ ହୋଇଥିଲେ। ଧାୱନ ବ୍ୟକ୍ତିଗତ ୫୮ ରନ୍ କରି ଆଉଟ୍ ହୋଇଥିଲେ। ଏହି ଇନିଂସରେ ସେ ୭ଟି ଚୌକା ମାରିଥିଲେ। ପରେ ପରେ ଗିଲ୍ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ପ୍ରଥମ ୱିକେଟର ପତନ ପରେ ଶ୍ରେୟାସ ଆୟର କ୍ରିଜକୁ ଓହ୍ଲାଇଥିଲେ। ଉଭୟ ଦଳୀୟ ସ୍କୋରକୁ ୧୧୫ରେ ପହଞ୍ଚାଇବା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ପରେ ଖେଳ ଆରମ୍ଭ ହୋଇଥିବା ବେଳେ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା। ଦୁଇ ଅପରାଜିତ ବ୍ୟାଟର ଗିଲ୍ ଓ ଆୟର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦ୍ଵିତୀୟ ୱିକେଟ୍‌ରେ ୮୬ ରନ୍ ସଂଗୃହୀତ ହୋଇଥିଲା। ଦଳୀୟ ସ୍କୋର ୧୯୯ ବେଳେ ବ୍ୟକ୍ତିଗତ ୪୪(୪ଚୌକା, ୧ଛକା) ରନ୍ କରି ଆୟର ଆଉଟ୍ ହୋଇଥିଲେ । ପରେ ପରେ ସୂର୍ଯ୍ୟକୁମାର ଯାଦବ ୮ ରନ୍ କରି ପାଭିଲିୟନ ଫେରିଥିଲେ। ଗିଲ୍ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖ୍ ଦଳୀୟ ସ୍କୋରକୁ ୨୨୫ରେ ପହଞ୍ଚାଇବା ପରେ ପୁଣିଥରେ ବର୍ଷା ଆରମ୍ଭ ହେବାରୁ ଭାରତର ଇନିଂସ ସମାପ୍ତି ଘୋଷଣା କରାଯାଇଥିଲା। ଡକ୍ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଗିଲ୍ ୭ଚୌକା ଓ ୨ଛକା ବଳରେ ଅପରାଜିତ ୯୮ ରନ୍ କରିଥିଲେ।