ବଢ଼ୁଛି ଭାରତ ବିରୋଧୀ ହେଟ୍ କ୍ରାଇମ୍: କାନାଡା ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଭାରତ ବିରୋଧୀ ହେଟ୍ କ୍ରାଇମ ଦୃଷ୍ଟିରୁ କାନାଡା ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ସତର୍କ ରହିବାକୁ ଭାରତ ସରକାର ଚେତାବନୀ ଦେଇଛନ୍ତି। ଏନେଇ ଭାରତ ସରକାର ଏକ ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ କାନାଡାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସରକାର କହିଛନ୍ତି ଯେ କାନାଡାରେ ହେଟ୍ କ୍ରାଇମ ମାମଲା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡା କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି। ଏଭଳି ମାମଲାରେ ତଦନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।

ଉପରୋକ୍ତ ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ତଥା ଛାତ୍ରମାନଙ୍କୁ କାନାଡା ଯାତ୍ରା ସମୟରେ ସତର୍କ ଏବଂ ସାବଧାନ ରହିବାକୁ ଭାରତ ସରକାରଙ୍କ ଦ୍ବାରା ଜାରି ଆଡଭାଇଜରିରେ କୁହାଯାଇଛି ।

ଭାରତୀୟ ନାଗରିକ ତଥା ଛାତ୍ରମାନଙ୍କୁ ଅଟ୍ଟୋ କିମ୍ବା ଟରୋଣ୍ଟୋ ଏବଂ ଭାଙ୍କୋଭରରେ ଥିବା ଭାରତୀୟ ମିଶନରେ ପଞ୍ଜିକରଣ କରିବାକୁ ସରକାର ନିବେଦନ କରିଛନ୍ତି। ଯାହା ଫଳରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ କାନାଡ଼ାରେ ଭାରତୀୟ ହାଇ କମିଶନ ଏବଂ ବାଣିଜ୍ୟ ଦୂତାବାସକୁ ଯୋଗାଯୋଗ କରିବା ଭାରତୀୟ ନାଗରିକଙ୍କ ପକ୍ଷେ ସହଜ ହେବ।

ନିକଟରେ ଟରୋଣ୍ଟୋରେ ଏକ ପ୍ରମୁଖ ହିନ୍ଦୁ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇ ଏହାକୁ ବିକୃତ କରାଯିବା ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ହାତ ରହିଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣାକୁ ହେଟ୍ କ୍ରାଇମ ବୋଲି କହି ଭାରତ କାନାଡା କର୍ତ୍ତୃପକ୍ଷଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲା ।

Comments are closed.