ଦ୍ବିତୀୟ ଦିନିକିଆ: ଅକ୍ଷର ପଟେଲ ଦେଲେ ରୋମାଞ୍ଚକ ବିଜୟ, ସିରିଜ୍ କବଜା କଲା ଭାରତ

ପୋର୍ଟ ଅଫ ସ୍ପେନ: ଅକ୍ଷର ପଟେଲଙ୍କ ଲଢୁଆ ବ୍ୟାଟିଂ ବଳରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ ୨ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏଥିସହ ଭାରତ ତିନି ମ୍ୟାଚ୍ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି ।

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ଭାରତର କ୍ରମାଗତ ୧୨ତମ ସିରିଜ ବିଜୟ । ଏଥିସହ ଭାରତ ଗୋଟିଏ ଦଳ ବିପକ୍ଷରେ ଲଗାତାର ସିରିଜ ବିଜୟରେ ରେକର୍ଡ କରିଛି ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଏହି ଚ୍ୟାଲେଞ୍ଜିଂ ବିଜୟଲକ୍ଷ୍ୟ ଜବାବରେ ଭାରତ ୩୮.୪ ଓଭରରେ ୨୦୫ ରନରେ ୫ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ହେଲେ ଅକ୍ଷର ପଟେଲ ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇ ଭାରତକୁ ରୋମାଞ୍ଚକର ବିଜୟ ଦେଇଥିଲେ । ଶେଷ ୩ ବଲରେ ଭାରତକୁ ବିଜୟ ପାଇଁ ୬ ରନ୍ ଆବଶ୍ୟକ ହେଉଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍ ବୋଲର କାଇଲ୍ ମାୟର୍ସଙ୍କ ବଲରେ ଏକ ଷ୍ଟ୍ରେଟ୍ ଛକା ମାରି ଭାରତକୁ ଜିତାଇଥିଲେ । ଭାରତ ୪୯.୪ ଓଭରେ ୮ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ଅକ୍ଷର ୩୫ଟି ବଲ୍‌ରୁ ୩ଚୌକା ଓ ୫ଛକା ବଳରେ ଅପରାଜିତ ୬୪ ରନ୍ କରି ଭାରତର ଏହି ରୋମାଞ୍ଚକର ବିଜୟରେ ନାୟକ ସାଜିଥିଲେ । ସେ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

୩୧୨ ରନ୍‌ ବିଜୟ ଲକ୍ଷ୍ୟ ଜବାବରେ ଦୁଇ ଓପନ ଶୁଭମନ ଗିଲ୍ ଓ ଶିଖର ଧାୱନ ୪୮ ରନ୍ ସଂଗ୍ରହ କରିଥିଲେ । ଧାୱନ ୧୩ ରନ୍ କରି ଆଉଟ୍ ହେବାର ୩୧ ରନ୍ ମଧ୍ଯରେ ଭାରତ ଆଉ ୨ଟି ୱିକେଟ୍ ହରାଇଥିଲା। ଗିଲ୍ ୪୩ ଓ ସୂର୍ଯ୍ୟକୁମାର ଯାଦବ ୯ ରନ୍ କରି ପାଭିଲିୟନ ଫେରିଥିଲେ। ଏହାପରେ ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଦୃଢ ବ୍ୟାଟିଂ କରି ୯୯ ରନ୍‌ର ଭାଗିଦାରୀ ଗଢିଥିଲେ। ଆୟର କ୍ରମାଗେତ ଦ୍ଵିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଦଳୀୟ ସ୍କୋର ୧୭୮ବେଳେ ଆୟର ବ୍ୟକ୍ତିଗତ ୬୩ ରନ୍ କରି ଆଉଟ୍ ହୋଇଥିଲେ । ପରେ ପରେ ସାମସନ ଅର୍ଦ୍ଧଶତକ(୫୪) ରନ୍ କରି ପାଭିଲିୟନ ଲେଉଟିଥିଲେ। ୨୦୫ ରନ୍‌ରେ ୫ ୱିକେଟ୍‌ର ପତନ ପରେ ସଂକଟ ଘନେଇଥିଲା। ଦୀପକ ହୁଡ଼ା ଓ ଅକ୍ଷର ପଟେଲ ଷଷ୍ଠ ୱିକେଟ୍‌ରେ ୫୧ ରନ୍ ଯୋଗ କରି ସ୍ଥିତି ସୁଧାରିଥିଲେ। ଦଳୀୟ ସ୍କୋର ୨୫୬ ବେଳେ ହୁଡ଼ା(୩୩) ଆଉଟ୍ ହୋଇଥିଲେ।ପଟେଲ ଶେଷ ପର୍ଯ୍ୟନ୍ତ ଲଢେଇ କରି ଦଳକୁ ଜିତାଇଥିଲେ।

ପୂର୍ବରୁ ୱେଷ୍ଟ ଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୩୧୧ ରନ୍ କରିଥିଲା। ୧୦୦ତମ ମ୍ୟାଚ୍ ଖେଳୁଥିବା ସାଇ ହୋପ୍ ଶତକ(୧୧୫) ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୂରନ ୭୪(୧ଚୌକା, ୬ଛକା), କେଲି ମେୟର୍ସ ୩୯(୬ଚୌକା, ୧ଛକା) ଓ ସାମରା ବୁକ୍‌ ୩୫(୫ଚୌକା) ରନ୍ କରିଥିଲେ । ଭାରତ ପକ୍ଷରୁ ସର୍ଦୁଲ ଠାକୁର ସର୍ବାଧ‌ିକ ୩ଟି ଓ୍ବିକେଟ୍ ନେଇଥିଲେ।

Comments are closed.