ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଉପରେ ନଜର ରଖିଛି ଭାରତ | News Room Odisha

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଉପରେ ନଜର ରଖିଛି ଭାରତ

ବେଜିଂ: ଉତ୍ତର ଚୀନରେ ପିଲାମାନଙ୍କ ମଧ୍ୟରେ ବ୍ୟାପୁଥିବା ନିମୋନିଆ ଓ ଶ୍ଵାସ ରୋଗ (ଏଚ୍୯ଏନ୍୨) ଉପରେ ନଜର ରଖାଯାଇଛି ବୋଲି ଭାରତ କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଚୀନରେ ବ୍ୟାପୁଥିବା ଏହି ଦୁଇଟି ରୋଗରୁ ଭାରତକୁ ବହୁତ କମ୍ ବିପଦ ରହିଛି । ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ନିକଟରେ ଡିଜିଏଚଏସର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନରେ ବ୍ୟାପୁଥିବା ଅଜଣା ରୋଗ ଯଦି ଭାରତରେ ବ୍ୟାପିଯାଏ ତେବେ ଏହାର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା।

ଅନ୍ୟପକ୍ଷରେ ରହସ୍ୟମୟ ନିମୋନିଆ ସମ୍ପର୍କରେ ଅଧିକ ସୂଚନା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍ କୁ କହିଛି।

କେତେକ ଘରୋଇ ମିଡିଆ ପ୍ଲାଟଫର୍ମର ରିପୋର୍ଟରେ କୁହାଯାଇଛି ଯେ ଉତ୍ତର ଚୀନରେ ବହୁ ସଂଖ୍ୟକ ଅସୁସ୍ଥ ଶିଶୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପକ୍ଷରେ ଚୀନର ଅଧିକାରୀମାନେ ଏହାକୁ ଫ୍ଲୁ ଭଳି ରୋଗ ବୋଲି କହୁଛନ୍ତି। ସେମାନେ କହିଛନ୍ତି ଯେ କରୋନା ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା କଟକଣା ପ୍ରତ୍ୟାହାର ଯୋଗୁଁ ଏହି ଶୀତରେ ଫ୍ଲୁ ଭଳି ରୋଗ ବଢ଼ୁଛି।