ଏସୀୟ କ୍ରୀଡ଼ା: ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ | News Room Odisha

ଏସୀୟ କ୍ରୀଡ଼ା: ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ

ହାଙ୍ଗଝୋ : ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ା ଫାଇନାଲକୁ ଉନ୍ନୀତ ହୋଇଛି । ଆଜି ଅନୁଷ୍ଠିତ ସେମିଫାଇନାଲରେ ଭାରତ ୯ ୱିକେଟରେ ବାଂଲାଦେଶକୁ ହରାଇଥିଲା | ଫାଇନାଲରେ ପ୍ରବେଶ କରିବା ସହ ଭାରତୀୟ ଦଳ ଅତିକମରେ ରୌପ୍ୟ ପଦକ ନିଶ୍ଚିତ କରିଛି। ଫାଇନାଲରେ ଭାରତର ମୁକାବିଲା ଆଫଗାନିସ୍ତାନ-ପାକିସ୍ତାନ ସେମିଫାଇନାଲର ବିଜେତା ସହ ହେବ ।

ସେମିଫାଇନାଲରେ ଭାରତର ଅଧିନାୟକ ଋତୁରାଜ ଗାଏକୱାଡ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲେ। ଭାରତୀୟ ବୋଲର ବାଂଲାଦେଶର ନିୟମିତ ୱିକେଟ୍ ଖସାଇ ବିପକ୍ଷ ଦଳକୁ ମାମୁଲି ସ୍କୋରରେ ସୀମିତ ରଖିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୬ ରନ୍ କରିଥିଲା । ଦଳ ତରଫରୁ ଜାକିର ଅଲି ସର୍ବାଧିକ ଅପରାଜିତ ୨୪ ରନ୍ ସଂଗ୍ରହ କରିଥିବା ବେଳେ ପରଭେଜ ହୁସେନ୍ ୨୩ ରନ୍ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ କେବଳ ରାକିବୁଲ ହାସନ (୧୪ ରନ୍) ହିଁ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । ଭାରତ ପକ୍ଷରୁ ରବି ସାଇ କିଶୋର ୩ଟି ୱିକେଟ୍ ଓ ୱାଶିଂଟନ୍ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ। । ଅର୍ଶଦୀପ ସିଂ, ତିଳକ ବର୍ମା, ରବି ବିଷ୍ଣୋଇ ଏବଂ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

୯୭ ରନ୍‌ର ଟାର୍ଗେଟକୁ ପିଛାକରି ଭାରତ ଶୀଘ୍ର ଯଶସ୍ବୀ ଜୈସଓ୍ବାଲଙ୍କ ଓ୍ବିକେଟ୍ ହରାଇଥିଲା । ଗତ ମ୍ୟାଚ୍‌ର ଶତକ ହାସଲାକରୀ ଯଶସ୍ବୀ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ। ତେବେ ଏହି ପ୍ରାରମ୍ଭିକ ଝଟକା ପରେ ତିଳକ ବର୍ମା ଏବଂ ଋତୁରାଜ ବାଂଲାଦେଶକୁ ଆଉ କୌଣସି ସୁଯୋଗ ନ ଦେଇ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଭାରତ ଗୋଟିଏ ୱିକେଟ୍ ହରାଇ ୯.୨ ଓଭରରେ ୯୭ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତିଥିଲା। ତିଳକ ବର୍ମା ୨୬ ବଲରେ ଅପରାଜିତ ୫୫ ରନ୍ କରିଥିବା ବେଳେ ଋତୁରାଜ ୨୬ ବଲରେ ୪୦ ରନ୍ କରି ଅପରାଜିତ ରହିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା । ଏବେ ପୁରୁଷ କ୍ରିକେଟ୍‌ ଦଳ ମଧ୍ୟ ସ୍ବର୍ଣ୍ଣ ଆଣିବ ବୋଲି ଆଶା କରାଯାଉଛି ।