ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ନବମ ସ୍ଥାନ ସହ ଅଭିଯାନ ଶେଷ କଲା ଭାରତ

ରାଉରକେଲା: ଭାରତ ଚଳିତ ହକି ବିଶ୍ୱକପରେ ନବମ ସ୍ଥାନ ସହ ନିଜ ଅଭିଯାନ ଶେଷ କରିଛି । ଶନିବାର ବିର୍ସାମୁଣ୍ଡା ଷ୍ଟାଡିୟମରେ ୯-୧୨ ସ୍ଥାନ ପାଇଁ ଖେଳାଯାଇଥିବା କ୍ଲାସିଫିକେସନ୍ ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନବମ ସ୍ଥାନ ହାସଲ କରିଛି । ଦକ୍ଷିଣ ଆଫ୍ରିକା ୧୧ତମ ସ୍ଥାନରେ ରହିଛି । ଭାରତ ପୂର୍ବରୁ ଜାପାନକୁ ୮-୦ ଗୋଲରେ ହରାଇଥିଲା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ତରଫରୁ ଅଭିଷେକ, କ୍ୟାପଟେନ ହରମନପ୍ରୀତ ସିଂହ, ଶମସେର ସିଂହ, ଆକାଶଦୀପ ସିଂହ ଓ ସୁଖଜୀତ ସିଂହ ଗୋଲ୍ ସ୍କୋର କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ସାମକେଲୋ ଏମ୍ଭିବି ଓ ମୁସ୍ତାଫା କାସିୟମ ଗୋଲ୍ କରିଥିଲେ ।

ଭାରତ କ୍ରସ୍‌ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପେନାଲ୍ଟି ସୁଟଆଉଟରେ ହାରି କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା । ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୪ଟି ବିଜୟ ସହ ଭାରତ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ପ୍ରଥମ କ୍ୱାର୍ଟରରେ ହିଁ ଦୁଇଟି ଗୋଲ୍ କରିଥିଲା । ପ୍ରଥମେ ପଞ୍ଚ ମିନିଟରେ ଅଭିଷେକ ଭାରତର ଗୋଲ୍ ଖାତା ଖୋଲିଥିଲେ । ଏହାପରେ ୧୨ତମ ମିନିଟରେ ଅଧିନାୟକ ହରମନପ୍ରୀତ ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଏକାଧିକ ସୁଯୋଗ ମିଳିଥିଲା । ହେଲେ ଏହି ଆଫ୍ରିକୀୟ ଦଳ ସୁଯୋଗକୁ ଗୋଲରେ ରୂପାନ୍ତର କରିପାରିନଥିଲା । ଫଳ ସ୍ୱରୂପ ଭାରତ ପ୍ରଥମ କ୍ୱାର୍ଟରରେ ୨-୦ରେ ଅଗ୍ରଣୀ ରହିଥିଲା ।

ଦ୍ୱିତୀୟ କ୍ୱାର୍ଟରରେ କୌଣସିି ଗୋଲ୍ ହୋଇପାରିନଥିଲା । ତେବେ ତୃତୀୟ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ଆକ୍ରମଣକୁ ଜୋରଦାର କରି ଭାରତୀୟ ରକ୍ଷଣଭାଗକୁ ଚାପରେ ରଖିଥିଲା । ଦକ୍ଷିଣ ଆଫ୍ରିକାକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଭାରତୀୟ ଗୋଲକିପର କ୍ରିଷ୍ଣା ବାହାଦୁର ପାଠକ ପ୍ରଶଂସନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଉଦ୍ୟମ ପଣ୍ଡ କରିଥିଲେ । ଭାରତ ପାଲଟା ଆକମ୍ରଣ କରିଥିଲା । ଶମସେର ସିଂହ ୪୫ତମ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଲପୋଷ୍ଟ ଭେଦ କରିବାରେ ସଫଳ ହୋଇଥିବା ବେଳେ ଭାରତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ୩-୦ରେ ଆଗୁଆ ହୋଇଥିଲା ।

ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ଆଉ ଏକ ଗୋଲ୍ ସ୍କୋର କରିଥିଲା । ୪୯ତମ ମିନିଟରେ ଦଳ ତରଫରୁ ଆକାଶଦୀପ ଏହି ଗୋଲ୍ କରିଥିଲେ । ଏମ୍ଭିବିଙ୍କ ସଫଳ ଉଦ୍ୟମ ବଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ୍ ଶୁଝାଇ ଦେଇଥିଲା । ମ୍ୟାଚର ୫୯ତମ ମିନିଟରେ ଶୁଖଜିତଙ୍କ ଗୋଲ ବଳରେ ଭାରତର ଅଗ୍ରଣୀ ୫-୧ ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ଅଧିନାୟକ କାସିୟମ ଏକ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ ଦେଇ ସ୍କୋରକୁ ୨-୫ କରିଥିଲେ ।

Comments are closed.