ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍‌, ଦକ୍ଷିଣ ଆଫ୍ରିକା ୨୧୦ରେ ଅଲଆଉଟ୍‌, ଭାରତ ୭୦ ରନରେ ଆଗୁଆ

କେପ୍ ଟାଉନ୍‌: ପେସ୍ ବାହିନୀର ପୁଣି ଘାତକ ପ୍ରଦର୍ଶନ ବଳରେ ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଇନିଂସ୍ ଅଗ୍ରଣୀ ହାସଲ କରିଛି । ଯଶପ୍ରୀତ ବୁମରା ୫ ୱିକେଟ୍ ସଫଳତା ପାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୧୦ ରନ୍ କରି ଅଲଆଉଟ୍ ହୋଇଛି । ଫଳରେ ଭାରତ ୧୩ ରନରେ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୫୭ ରନ୍ କରିଛି । ଦୁଇ ଓପନର ପୁଣି ଫେଲ୍ ମାରିଛନ୍ତି । କେଏଲ୍ ରାହୁଲ ୧୯ ଓ ମୟଙ୍କ ଅଗ୍ରୱାଲ ୭ ରନ୍ କରି ଆଉଟ୍ ହୋଇଛନ୍ତି । ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ବିରାଟ କୋହଲି ୧୪ ଓ ଚେତେଶ୍ୱର ପୂଜାରା ୯ ରନ୍ କରିି ଅପରାଜିତ ଅଛନ୍ତି । ଭାରତ ଏଯାବତ ମୋଟ ୭୦ ରନରେ ଅଗ୍ରଣୀ ରହିଥିବା ବେଳେ ମ୍ୟାଚ୍ ଏବେ ରୋଚକ ସ୍ଥିତିରେ ଅଛି ।

ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୨୨୩ ରନର ମାମୁଲି ସ୍କୋରରେ ଅଲଆଉଟ୍ ହେବା ପରେ ବୁମରା ଏବଂ ସାଥୀ ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଛନ୍ତି । ବୁମରାଙ୍କ ପାଞ୍ଚ ୱିକେଟ୍ ସଫଳତା ସହ ସାମି ଓ ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଉମେଶ ଯାଦବ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ବୋଲରଙ୍କ ଏହି ପରିଶ୍ରମ ଯେଭଳି ବ୍ୟର୍ଥ ନ ଯାଏ ତାହା ନିଶ୍ଚିତ କରିବା ଏବେ ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ୱ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ନିଜ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୧୭/୧ରୁ ଖେଳ ଆରମ୍ଭ କରିଥିଲା । ତେବେ ବୁମରା ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଏଡେନ ମାର୍କରମ୍ (୮)ଙ୍କୁ ଆଉଟ୍ କରି ଭାରତକୁ ଶୀଘ୍ର ଏକ ସଫଳତା ଦେଇଥିଲେ । ମାର୍କରମ ନିଜ ପୂର୍ବଦିନର ସ୍କୋରରେ କୌଣସି ରନ୍ ଯୋଗ କରିବା ପୂର୍ବରୁ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ହେଲେ ନାଇଟ୍ ୱାଚମ୍ୟାନ୍ କେଶବ ମହାରାଜ ଉପାଦେୟ ୨୫ ରନ୍ କରିଥିଲେ । ପରେ ତାଙ୍କୁ ଉମେଶ ଯାଦବ ପ୍ୟାଭିଲିୟନ୍ ଫେରାଇଥିଲେ । ସେତେବେଳକୁ ଦକ୍ଷିଣ ଆଫ୍ରିକା ୪୫ ରନରେ ୩ଟି ୱିକେଟ୍ ହରାଇଥିଲା । ପ୍ରଥମ ଏକ ଘଣ୍ଟାର ଖେଳ ମଧ୍ୟରେ ଶୀଘ୍ର ୨ ୱିକେଟ୍ ହରାଇବା ପରେ କିଗାନ୍ ପିଟରସନ (୭୨) ଓ ରାସି ଭାନ୍ ଡର୍ ଡୁସେନ୍‌(୨୧) ପାଳି ସମ୍ଭାଳିବାକୁ ଉଦ୍ୟମ କରି ଚତୁର୍ଥ ୱିକେଟ୍ ପାଇଁ ୬୭ ରନ୍ ଯୋଗ କରିଥିଲେ ।

ଉମେଶ ପୁଣି ଏହି ଯୋଡ଼ି ଭାଙ୍ଗିଥିଲେ । ସେ ଡୁସେନଙ୍କୁ ସ୍ଲିପରେ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ତେମ୍ବା ବାଭୁମା ଦୃଢ ଭାବେ ନିଜ ଇନିଂସ୍ ଆରମ୍ଭ କରିଥିଲେ ମଧ୍ୟ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ । ବାଭୁମା ବ୍ୟକ୍ତିଗତ ୨୮ ରନ୍ କରି ସାମିଙ୍କ ବଲରେ କୋହଲିଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଲେଉଟିଥିଲେ । କୋହଲିଙ୍କ ଏହା ଥିଲା ୧୦୦ତମ ଟେଷ୍ଟ କ୍ୟାଚ୍ । ବାଭୁମାଙ୍କ ପରେ କ୍ରିଜକୁ ଓହ୍ଲାଇଥିବା କାଇଲ ଭେରିୟେନ ଖାତା ଖୋଲିନପାରି ସାମିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହାପରେ ବୁମରା ନିଜ କମାଲ ଦେଖାଇଥିଲେ । ଏକ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ କରି ଭାରତର ବାଟ ଓଗାଳିଥିବା ପିଟରସନଙ୍କୁ ବୁମରା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଦେଇଥିଲେ । ପିଟରସନ୍ ୭୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ବୁମରା, ମାର୍କୋ ଜନସେନ୍ (୭), କାଜିସୋ ରବାଡା (୧୫)ଙ୍କ ସହ ଆଉ ତିନି ୱିକେଟ୍ ନେଇ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ । ଦକ୍ଷିଣ ଆଫ୍ରିକା ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା । ବୁମରା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଉମେଶ ଓ ସାମି ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

Comments are closed.