ମହିଳା ଏସିଆ କପ୍: ପାକିସ୍ତାନ ଠାରୁ ହାରିଲା ଭାରତ

ସିଲହେଟର: ବାଂଲାଦେଶର ସିଲହେଟରେ ଖେଳାଯାଉଥିବା ମହିଳା ଏସିଆ କପରେ ଶୁକ୍ରବାର ଏକ ମ୍ୟାଚରେ ଭାରତ ୧୩ ରନରେ ପାକିସ୍ତାନ ଠାରୁ ହାରି ଯାଇଛି ।

ଭଲ ବ୍ୟାଟିଂ ଲାଇନ୍ ଅପ୍ ପାଇଁ ଜଣାଶୁଣା ଭାରତୀୟ ଦଳ ଆରମ୍ଭରୁ ଚାପରେ ରହିଥିଲା ​​ଏବଂ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ।

ଭାରତ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦଳ ୧୯.୪ ଓଭରରେ ୧୨୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ରିଚା ଘୋଷ ସର୍ବାଧିକ ୨୬ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ହରମନପ୍ରୀତ କୌର (୧୨) ଓ ଭାଇସ୍ କ୍ୟାପଟେନ ସ୍ମୃତି ମନ୍ଧାନା (୧୭) ଫେଲ୍ ମାରିଥିଲେ ।

ପାକିସ୍ତାନର ଦଳ ଗତ ମ୍ୟାଚରେ ଥାଇଲ୍ୟାଣ୍ଡକୁ ହରାଇବା ପରେ ଏବେ ଟାଇଟଲ ଦାବିଦାର ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ।

ପାକିସ୍ତାନ ଅଧିନାୟିକା ବିସ୍ମା ମାରୋଫ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା।

ଏହି ମ୍ୟାଚ୍‌ରେ ହାରିବା ସତ୍ତ୍ୱେ ଭାରତୀୟ ମହିଳା ଦଳ ୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। ପାକିସ୍ତାନ ଦଳ ପାଖରେ ମଧ୍ୟ ୬ ପଏଣ୍ଟ ଅଛି, କିନ୍ତୁ ଦଳ ଦ୍ୱିତୀୟ ସ୍ଥାନରେ ରହିଛି।

Comments are closed.