ଆସନ୍ତାକାଲି ହେବାକୁ ଥିବା 'ଇଣ୍ଡିଆ' ମେଣ୍ଟ ବୈଠକ ସ୍ଥଗିତ | News Room Odisha

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକ ସ୍ଥଗିତ ରଖାଯାଇଛି। ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ବୈଠକ ଡାକିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ଝଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଭିନ୍ନ କାରଣରୁ ଏହି ବୈଠକରେ ଯୋଗ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। କଂଗ୍ରେସ କହିଛି ଯେ ସମସ୍ତ ଦଳ ସହ କଥା ହେବା ପରେ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ବୈଠକର ନୂଆ ତାରିଖ ସ୍ଥିର ହେବ।

ଆସନ ଭାଗବଣ୍ଟା ନେଇ ‘ଇଣ୍ଡିଆ’ ମେଣ୍ଟର ଦଳମାନେ ବୈଠକ ଡାକିବାକୁ ଦାବି କରିଆସୁଥିଲେ। ହେଲେ ପାଞ୍ଚ ରାଜ୍ୟରେ ନିର୍ବାଚନ ବାହାନାରେ କଂଗ୍ରେସ ସଭାପତି ଖଡ଼ଗେ ବୈଠକ ଟାଳୁଥିଲେ । ରବିବାର ଚାରି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଖଡ଼ଗେ ଡିସେମ୍ବର ୬ରେ ‘ଇଣ୍ଡିଆ’ର ବୈଠକ ଡାକିଥିଲେ। ଉକ୍ତ ଚାରି ରାଜ୍ୟ ମଧ୍ୟରୁ କଂଗ୍ରେସ କେବଳ ତେଲେଙ୍ଗାନାରେ ଜିତିଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଜେପି ଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା।

ମମତା ବାନାର୍ଜୀ, ଅଖିଳେଶ ଯାଦବ, ନୀତିଶ କୁମାର ଏବଂ ହେମନ୍ତ ସୋରେନ ଏହି ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। ନୀତିଶଙ୍କ ସ୍ଥାନରେ ଜେଡିୟୁରୁ ଲଲନ୍ ସିଂ ଏବଂ ସଞ୍ଜୟ ଝା ଏବଂ ଅଖିଳେଶଙ୍କ ସ୍ଥାନରେ ଏସପିରୁ ରାମ ଗୋପାଳ ଯାଦବ ଏଥିରେ ଯୋଗଦେବେ ବୋଲି ଆଶା କରାଯାଉଥିଲା।

କଂଗ୍ରେସ କହିଛି ଯେ ବର୍ଷା ଯୋଗୁଁ ଚେନ୍ନାଇ ବିମାନ ବନ୍ଦର ବନ୍ଦ ରହିଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବୈଠକରେ ଯୋଗ ଦେଇ ପାରିନଥାନ୍ତେ । ଏହାଛଡ଼ା ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ମମତା ନିଜ ଦଳର କାର୍ଯ୍ୟକ୍ରମରେ ବ୍ୟସ୍ତ | ଏହି ନେତାଙ୍କ ଅନୁପସ୍ଥିତି ଯୋଗୁଁ ‘ଇଣ୍ଡିଆ’ ମେଣ୍ଟ ବୈଠକର ସମୟ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି।