ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ମଜବୁତ୍, ଫଲୋଅନ୍ ଏଡାଇବାକୁ ବାଂଲାଦେଶର ସଂଘର୍ଷ | News Room Odisha

ପ୍ରଥମ ଟେଷ୍ଟରେ ଭାରତର ସ୍ଥିତି ମଜବୁତ୍, ଫଲୋଅନ୍ ଏଡାଇବାକୁ ବାଂଲାଦେଶର ସଂଘର୍ଷ

 

ଚଟୋଗ୍ରାମ୍: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ଗୁରୁବାର ନିଜର ସ୍ଥିତିକୁ ମଜବୁତ କରିଛି। ପ୍ରଥମ ଇନିଂସରେ ୪୦୪ ରନ୍ ସ୍କୋର କରିବା ପରେ ଦ୍ବିତୀୟ ଦିନର ଷ୍ଟମ୍ପ ପର୍ଯ୍ୟନ୍ତ ବାଂଲାଦେଶର ୮ଟି ୱିକେଟ୍ ଖସାଇବାରେ ସଫଳ ହୋଇଛି । ଘରୋଇ ଦଳ ମାତ୍ର ୧୩୩ ରନରେ ୮ ଓ୍ବିକେଟ୍ ହରାଇ ସଂଘର୍ଷ କରୁଛି। ବାଂଲାଦେଶ ଫଲୋଅନ୍ ବିପଦରେ ଅଛି। ଫଲୋଅନ୍ ଏଡାଇବା ପାଇଁ ବାଂଲାଦେଶକୁ ଆହୁରି ୭୨ ରନ୍ ଆବଶ୍ୟକ |

ଭାରତ ପକ୍ଷରୁ ବାମହାତୀ ସ୍ପିନର କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩ଟି ଏବଂ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି। ବାଂଲାଦେଶ ତରଫରୁ ମୁଶଫିକୁର ରହୀମ ସର୍ବାଧିକ ୨୮ ରନ୍ କରିଥିବା ବେଳେ ଲିଟନ୍ ଦାସ ୨୪ ଏବଂ ଜାକିର ହାସନ ୨୦ ରନ୍ କରିଛନ୍ତି। ନୁରୁଲ ହାସନ ଏବଂ ମେହେଦୀ ହସନ ମିରାଜ ୧୬-୧୬ ରନ୍ ସ୍କୋର କରିଥିଲେ ।

ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ ସ୍କୋର୍ ୨୭୮/୬ରୁ ଆଗକୁ ଖେଳି ୪୦୪ ରନରେ ଅଲ୍ଆଉଟ୍ ହୋଇଥିଲା । ଦିନର ପ୍ରଥମ ସେସନ ଭାରତ ସପକ୍ଷରେ ଯାଇଥିଲା। ଏହି ସେସନରେ ଭାରତ ୭୦ ରନ୍ ଯୋଡିଥିଲା। ପ୍ରକାଶ ଥାଉକି, ଶ୍ରେୟସ୍ ଆୟର୍ ୮୨ ରନର ବ୍ୟକ୍ତିଗତ ସ୍କୋରରେ ଇବାଦତ ହୁସେନଙ୍କ ଶିକାର ହେବାପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିଥିଲା । ଶ୍ରେୟାସଙ୍କ ଓ୍ବିକେଟ୍ ହରାଇବା ପରେ ଅଶ୍ୱିନ-କୁଲଦୀପ ଭାରତୀୟ ଇନିଂସ ସମ୍ଭାଳିଥିଲେ ।

ଦ୍ୱିତୀୟ ସେସନରେ ମଧ୍ୟ ଭାରତର ଦବଦବା ରହିଥିଲା । ଏହି ସେସନରେ ୯୩ ରନ୍ ହୋଇଥିବା ବେଳେ ୫ଟି ଓ୍ବିକେଟ୍ ପଡ଼ିଥିଲା । ଏଥି ମଧ୍ୟରୁ ଭାରତ ୫୬ ରନ୍ କରିଥିବା ବେଳେ ଶେଷ ୩ଟି ଓ୍ବିକେଟ୍ ହରାଇଥିଲା । ଏହା ପରେ ଭାରତୀୟ ବୋଲରମାନେ ବାଂଲାଦେଶର ଦୁଇଟି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ୍ କରି ଟିମ୍ ଇଣ୍ଡିଆକୁ ମଜବୁତ ସ୍ଥିତିକୁ ଆଣିଥିଲେ। ଏହି ସେସନରେ ବାଂଲାଦେଶ ନାଜମୁଲ ହାସନ ଶାନ୍ତୋ ଏବଂ ୟାସିର ଅଲିଙ୍କ ୱିକେଟ୍ ହରାଇ ୩୭ ରନ୍ ସଂଗ୍ରହ କରିଥିଲା ।

ଶେଷ ସେସନରେ ଭାରତୀୟ ବୋଲର ମାନଙ୍କ ପ୍ରାଧାନ୍ୟ ଦେଖିବାକୁ ଉଚ୍ଚ ମିଳିଥିଲା । ଏହି ସେସନରେ ୯୬ ରନ୍ ହୋଇଥିବା ବେଳେ ୬ଟି ୱିକେଟର ପତନ ହୋଇଥିଲା। ଏହି ସେସନରେ ସିରାଜ ୨ଟି ୱିକେଟ୍ ଓ କୁଲଦୀପ ୪ଟି ୱିକେଟ୍ ନେଇଥିଲେ।