କରୋନା ଅପଡେଟ୍: ସଂକ୍ରମଣ ପୁଣି ଉପରମୁହାଁ; ଦିନକରେ ୨,୧୮୩ ମାମଲା, ୨୧୪ ମୃତ | News Room Odisha

କରୋନା ଅପଡେଟ୍: ସଂକ୍ରମଣ ପୁଣି ଉପରମୁହାଁ; ଦିନକରେ ୨,୧୮୩ ମାମଲା, ୨୧୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦୈନିକ ମାମଲାରେ ୯୦ ପ୍ରତିଶତ ବୃଦ୍ଧି ଘଟିଛି । ଦିନକରେ ଦେଶରେ ୨,୧୮୩ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ମୋଟ ସଂକ୍ରମିତ ସଂଖ୍ୟା ୪,୩୦,୪୪,୨୮୦ କୁ ବୃଦ୍ଧି ପାଇଛି । ତେବେ ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୫୪୨କୁ ହ୍ରାସ ପାଇଛି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, କରୋନାରେ ଦେଶରେ ଆଉ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୧,୯୬୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ୨୧୪ ଜଣଙ୍କର ମୃତ୍ୟୁ ମାମଲା ରିପୋର୍ଟ ହୋଇଛି, ସେମାନଙ୍କ ମଧ୍ୟରୁ ୨୧୩ ଜଣ କେରଳର।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୩ ପ୍ରତିଶତ ଥିବାବେଳେ ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୬ ପ୍ରତିଶତ। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୧୬ ଟି ମାମଲା ହ୍ରାସ ପାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ଦୈନିକ ସଂକ୍ରମଣ ହାର ୦.୮୩ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୩୨ ପ୍ରତିଶତ ରେକର୍ଡ କରାଯାଇଛି।

ତଥ୍ୟ ଅନୁଯାୟୀ, ସୁସ୍ଥ ରୋଗୀଙ୍କ ସଂଖ୍ୟା ୪,୨୫,୧୦,୭୭୩ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣ ଜନିତ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୮୬.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।