କରୋନା ଅପଡେଟ୍: ଦେଶରେ ଆଉ ୩୩,୩୭୬ ନୂଆ ମାମଲା ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ପ୍ରତିଦିନ ୩୦ ରୁ ୪୦ ହଜାର ମାମଲା ରିପୋର୍ଟ ହେଉଛି | ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୩,୩୭୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ସେପ୍ଟେମ୍ବରରେ ପଞ୍ଚମ ଥର ପାଇଁ ୪୦ ହଜାରରୁ କମ୍ କରୋନା ମାମଲା ଆସିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୩୨,୧୯୮ ଲୋକ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି |

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏ ଯାଏଁ ମୋଟ ତିନି କୋଟି ୩୨ ଲକ୍ଷ ୮୩୩୦ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୨ ହଜାର ୩୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୩ ଲକ୍ଷ ୭୪ ହଜାର ୪୯୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ସମୁଦାୟ ୩ ଲକ୍ଷ ୯୧ ହଜାର ୫୧୬ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସାରା ଦେଶରେ ୭୩ କୋଟି ୫ ଲକ୍ଷ ୮୯ ହଜାର ୬୮୮ ଡୋଜ୍ କରୋନା ଟିକା ଦିଆଯାଇଛି। ଦିନକରେ ୬୫.୨୭ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୪ କୋଟିରୁ ଉର୍ଦ୍ଧ୍ବ କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ଆଉ ୧୫.୯୨ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.