ଆଜି ମସ୍କୋରେ ଭାରତ-ତାଲିବାନ ବୈଠକ

ମସ୍କୋ: ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ପ୍ରତିନିଧୀ ଏବଂ ତାଲିବାନ ପ୍ରତିନିଧୀମାନେ ଆନ୍ତର୍ଜାତୀୟ ବୁଝାମଣା ଟେବୁଲରେ ଏକାଠି ନଜର ଆସିବେ। ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ରୁଷ ତରଫରୁ ଆହୂତ ଏକ ବୈଠକରେ ଯୋଗଦେବା ପାଇଁ ଭାରତୀୟ ଅଧିକାରୀ ଏବଂ ତାଲିବାନ ପ୍ରତିନିଧୀମାନେ ମସ୍କୋରେ ପହଞ୍ଚିଛନ୍ତି।

ପାକିସ୍ତାନ-ଆଫଗାନିସ୍ତାନ-ଇରାନ ବ୍ୟାପାର ଦାୟିତ୍ୱରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂ ଏବଂ ୟୁରେସିଆ ବ୍ୟାପାର ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ଡ଼ଃ ଆଦର୍ଶ ସ୍ୱିକାଙ୍କୁ ମସ୍କୋ ପଠାଯାଇଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭ୍ରୋଭ ଏହି ବୈଠକକୁ ସମ୍ବୋଧିତ କରିବେ। ଆଫଗାନିସ୍ତାନ ଉପରେ ମସ୍କୋ ଫର୍ମାଟର ଏହା ହେଉଛି ତୃତୀୟ ବୈଠକ ଯେଉଁଥିରେ ଭାରତ ସମେତ ୧୦ଟି ଦେଶର ପ୍ରତିନିଧୀ ଉପସ୍ଥିତ ରହିବେ। ଏହି ସଭାରେ ତାଲିବାନ ପ୍ରଶାସନର ଉପମୁଖ୍ୟମନ୍ତ୍ରୀ ଅବଦୁଲ ସଲାମ ହାନାଫି ମଧ୍ୟ ଯୋଗଦେବେ।

ଯଦି ରୁଷରେ ଭାରତ ଏବଂ ତାଲିବାନ ପ୍ରତିନିଧୀଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ କଥାବାର୍ତ୍ତା ହୁଏ, ତେବେ ଅଗଷ୍ଟ ୨୦୨୧ ପରେ ଏହା ଦ୍ୱିତୀୟ ଥର ହେବ ଯେତେବେଳେ ଉଭୟ ପକ୍ଷ ମୁହାଁମୁହିଁ ଆଲୋଚନା କରିବେ। ଏହାପୂର୍ବରୁ ଅଗଷ୍ଟ ୩୧ ରେ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇଙ୍କ ନେତୃତ୍ୱରେ ଏକ ଦଳ ଦୋହାଠାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କୁ ଭେଟିଥିଲେ। ଏହାଛଡ଼ା ସେପ୍ଟେମ୍ବର ୨୦୨୧ରେ ତାଲିବାନ ପ୍ରଶାସନ ଘୋଷଣା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ତାଲିବାନ ପ୍ରତିନିଧୀମାନେ ଏକାଠି ହେବେ।

Comments are closed.