ଜୁନିୟର ହକି ବିଶ୍ୱକପରେ ଭାରତର ପ୍ରଥମ ବିଜୟ, କାନାଡ଼ାକୁ ୧୩-୧ରେ ହରାଇଲା

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୫-୪ରେ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଜୁନିୟର ହକି ବିଶ୍ୱକପରେ ଗୁରୁବାର ନିଜର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ଭାରତ ଗୋଲ୍ ବର୍ଷା କରି କାନାଡ଼ାକୁ ୧୩-୧ରେ ଧରାଶାୟୀ କରିଛି । ଭାରତ ପକ୍ଷରୁ ସଞ୍ଜୟ ଓ ଅରିଜିତ ସିଂ ହୁଣ୍ଡାଲ ହ୍ୟାଟ୍ରିକ୍ ଗୋଲ୍ କରିଛନ୍ତି । ଟୁ୍‌ର୍ଣ୍ଣାମେଣ୍ଟରେ ସଞ୍ଜୟ କ୍ରମାଗତ ଦ୍ୱିତୀୟ ହ୍ୟାଟ୍ରିକ୍ ହାସଲ କରିଛନ୍ତି । ଫ୍ରାନ୍ସ ବିପକ୍ଷରେ ମଧ୍ୟ ସେ ହ୍ୟାଟ୍ରିକ ଗୋଲ୍ କରିଥିଲେ । ଏହି ବୃହତ ୍ ବିଜୟ ସହ ଭାରତ କ୍ୱାର୍ଟର ଫାଇନାଲ ଦୌଡ଼ରେ ସାମିଲ ହୋଇଛି । କାନାଡ଼ା ବିପକ୍ଷ ଭାରତର ଏହି ବିଜୟ ବ୍ୟବଧାନ ମଧ୍ୟ ଜୁନିୟର ହକି ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ । ତା’ ପୂର୍ବରୁ ଆଜି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ସ୍ପେନ୍ ବିଶ୍ୱ ରେକର୍ଡ ୧୭-୦ ଗୋଲରେ ଆମେରିକାକୁ ହରାଇଥିଲା ।

କାନାଡ଼ା ବିପକ୍ଷ ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ନିୟମିତ ବ୍ୟବଧାନରେ ଗୋଲ୍ ଦେଇ ଚାଲିଥିଲା । ସଞ୍ଜୟ ଓ ଅରିଜିତଙ୍କ ହ୍ୟାଟ୍ରିକ୍ ବ୍ୟତୀତ ଭାରତ ତରଫରୁ ସାରଦାନନ୍ଦ ତିୱାରୀ ଓ ଉତ୍ତମ ସିଂ ୨ଟି ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଓଡ଼ିଆ ଖେଳାଳି ଅଭିଷେକ ଲାକ୍ରା, ଅଧିନାୟକ ବିବେକ ସାଗର ପ୍ରସାଦ ଏବଂ ମନିନ୍ଦର ସିଂ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । କାନାଡ଼ା ବିପକ୍ଷ ବିଶାଳ ବିଜୟ ସହ ଭାରତ ପଏଣ୍ଟ ଖାତା ଖୋଲି ପୁଲ୍‌-ବି’ରେ ସମ୍ପ୍ରତି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷେ କାନାଡ଼ା କ୍ରମାଗତ ଦ୍ୱିତୀୟ ପରାଜୟ ପରେ ନକ୍ ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି । କାନାଡ଼ା ତାର ପ୍ରଥମ ମ୍ୟାଚରେ ମଧ୍ୟ ପୋଲାଣ୍ଡ ଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ତାର ଶେଷ ପୁଲ୍ ମ୍ୟାଚରେ ଶନିବାର ପୋଲାଣ୍ଡକ ଭେଟିବ । ପୋଲାଣ୍ଡ ବିପକ୍ଷରେ ବିଜୟ କିମ୍ବା ଡ୍ର ଭାରତକୁ କ୍ୱାର୍ଟର ଫାଇନାଲରେ ପହଞ୍ଚାଇବ ।

Comments are closed.