ଇଂଲଣ୍ଡର ମୂଳପୋଛ ସହ ଝୁଲଣ ଗୋସ୍ବାମୀଙ୍କୁ ସ୍ମରଣୀୟ ଫେୟାରଓ୍ଵେଲ ଦେଲା ଭାରତ

ଲଣ୍ଡନ: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ କିମ୍ବଦନ୍ତୀ ଝୁଲଣ ଗୋସ୍ବାମୀଙ୍କୁ ସ୍ମରଣୀୟ ଫେୟାରଓ୍ଵେଲ ପ୍ରଦାନ କରିଛି ଭାରତ। ଦୀର୍ଘ ୨୦ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଝୁଲଣଙ୍କ ବିଦାୟକାଳୀନ ମ୍ୟାଚକୁ ଭାରତ ୧୬ ରନରେ ଜିତିନେବା ସହିତ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି । ଏହା ସହିତ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ସିରିଜ କ୍ଲିନ୍ ସୁଇପ୍‌ କରିଛି । ଏହି ଲୋ ସ୍କୋରିଂ ମ୍ୟାଚରେ ଦୀପ୍ତି ଶର୍ମା ଓ ସ୍ମୃତି ମନ୍ଧାନାଙ୍କ ଲଢୁଆ ଅର୍ଦ୍ଧଶତକ ସହିତ ରେଣୁକା ସିଂଙ୍କ ଘାତକ ବୋଲିଂ ବଳରେ ଭାରତ ୩-୦ରେ ସିରିଜ ଜିତି ନେଇଛି।

ଏହି ବିଜୟ ସହ ‘ଚକଡା ଏକ୍ସପ୍ରେସ’ ଭାବେ ବିଖ୍ୟାତ ଝୁଲଣ ଗୋସ୍ୱାମୀଙ୍କ ଜାଜ୍ଜ୍ୱଲ୍ୟମାନ କ୍ୟାରିୟର ଶେଷ ହୋଇଛି । ଝୁଲଣ ଗୋସ୍ୱାମୀ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଆଜି ଅବସର ନେଉଛନ୍ତି। ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୫ ୱିକେଟ ଦଖଲ କରିଛନ୍ତି। ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ସେ ସବୁଠାରୁ ଅଧିକ ୨୨୬୦.୨ ଓଭର ଏଯାଏ ବୋଲିଂ କରିଛନ୍ତି। ସେ ଭାରତ ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୪ଟି ୱିକେଟ ନେଇଛନ୍ତି। ଝୁଲଣ ୨୦୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ସେହିପରି ସେ ୨୦ ବର୍ଷ ୨୬୧ ଦିନ ଧରି କ୍ରିକେଟ ଖେଳିବାର ରେକର୍ଡ ମଧ୍ୟ କରିଛନ୍ତି। ୨୦୦୭ରେ ସେ ଆଇସିସି ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ପାଇଥିଲେ। ସେ ଭାରତ ପାଇଁ ୨୦୦୫ ଓ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ଜିତି ପାରି ନାହାନ୍ତି। କିନ୍ତୁ ଏସିଆ କପରେ ଭାରତ ୩ଥର ଚାମ୍ପିୟନ ହେବା ବେଳେ ଟିମ୍‌ରେ ଝୁଲଣ ରହିଥିଲେ।

ଲର୍ଡ୍ସରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଓପନର ସ୍ମୃତି ମନ୍ଧାନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତ ୪୫.୪ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୬୯ ରନ୍‌ କରିଥିଲା। ଜବାବରେ ରେଣୁକା ସିଂଙ୍କ ୪ ଓ୍ବିକେଟ୍ ସଫଳତା ବଳରେ ଭାରତ ୧୬ ରନରେ ମ୍ୟାଚକୁ ଜିତି ନେଇଥିଲା । ଶେଫୀଳି ବର୍ମା ଓ ୟସ୍ତିକି ଭାଟିଆଙ୍କୁ ଖାତା ଖୋଲିବା ପୂର୍ବରୁ କେଟ୍‌ କ୍ରସଙ୍କ ବଲରେ ଆଉଟ ହୋଇଥଲେ। ହରମନପ୍ରୀତ୍‌ ଜୌର(୪) ଓ ହରଲିନ୍‌ ଦେଓଲ(୩) ସହଜରେ ପ୍ଯାଭିଲିୟନ ଫେରିବା ସହିତ ଭାରତ ମାତ୍ର ୨୯ ରନରେ ୪ ଓ୍ବିକେଟ୍ ହରାଇଥିଲା। ତେବେ ସ୍ମୃତି ମନ୍ଧାନା(୫୦) ଓ ଦୀପ୍ତି ଶର୍ମା(୬୮୨)ଙ୍କ ମଧ୍ୟରେ ୫୮ ରନର ଭାଗୀଦାରି ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲା। ସପ୍ତମ ଓ୍ବିକେଟରେ ପୂଜା ବସ୍ତ୍ରକାର ( ୨୨) ଓ ଦୀପ୍ତି ଶର୍ମା ୪୦ରନ ଯୋଡିବାରୁ ଭାରତ ଏକ ସମ୍ମାନଜନକ ସ୍କୋର ହାସଲ କରିଥିଲା। ମନ୍ଧାନା ୭୯ ବଲ ଖେଳି ୫ ଚୌକା ମାରିଥିଲେ। ଅପର ପକ୍ଷରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥୁବା ଦୀପ୍ତି ଶର୍ମା ୧୦୬ ବଲ୍‌ ଖେଳି ୭ ଚୌକା ମାରିଥିଲେ। ଇଂଲଣ୍ଡ ପକ୍ଷରୁ କେଟ୍‌ କ୍ରସ ୪, ସୋଫି ଏକେଲଷ୍ଟ୍ରୋନ ଓ ଫ୍ରେୟା କାମ୍ପ ଦୁଇଟି ଲେଖାଏ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

୧୭୦ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜ ରହିବ ବୋଲିଂ ଆଶା କରାଯାଉଥୂୁଲା। ତେବେ ରେଣୁକା ସିଂ, ଅନ୍ତିମ ମ୍ୟାଚ ଖେଳୁଥୁବା ଝୁଲଣ ଗୋସ୍ବାମୀ ଓ ରାଜେଶ୍ବରୀ ଗାଏକ୍ବାଡ ଘାତକ ବୋଲିଂ ବଳରେ ଭାରତ ମ୍ୟାଚକୁ ଜିତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଚାର୍ଲୋଟ ଡିନ୍‌ ସର୍ବାଧିକ ୪୭ ରନ କରିଥିବା ବେଳେ ଏମି ଜୋନ୍ସ (୨୮) ଓ ଏମା ଲାମ୍ବ( ୨୧) ରନ କରିଥିଲେ । ଭାରତ ପକ୍ଷରୁ ରେଣୁକା ସିଂ ୪ଟି ଓ୍ବିକେଟ୍ ନେଇଥିବା ବେଳେ ଝୁଲଣ ଗୋସ୍ବୀମୀ ଓ ରାଜେଶ୍ବରୀ ଗାଏକ୍ବାଡ ଦୁଇଟି ଲେଖାଏ ଓ୍ବିକେଟ୍ ନେଇଥିଲେ ।

Comments are closed.