ତୃତୀୟ ଟି-୨୦ ଟାଇ, ଭାରତ ୧-୦ରେ ସିରିଜ୍ ବିଜୟୀ

ନେପିଅର୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ଷା ପ୍ରଭାବିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଟାଇ ହୋଇଯାଇଛି । ଫଳରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ରେ ଜିତିନେଇଛି। ବର୍ଷା ଯୋଗୁଁ ପ୍ରଥମ ଟି -୨୦ ମ୍ୟାଚ୍ ବାତିଲ ହୋଇଥିବାବେଳେ ଭାରତ ଦ୍ୱିତୀୟ ମ୍ୟାଚକୁ ୬୫ ରନରେ ଜିତିଥିଲା।

ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତ ୯ ଓଭରରେ ୪ ୱିକେଟ ହରାଇ ୭୫ ରନ୍ ସଂଗ୍ରହ କରିଥିବା ବେଳେ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଖେଳ ଆଉ ସମ୍ଭବ ହୋଇପାରିନଥିଲା । ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ୯ ଓଭର ସୁଦ୍ଧା ସ୍କୋର ସମାନ ଥିବାରୁ ମ୍ୟାଚ୍ ଟାଇ ହୋଇଥିଲା। ଯଦି ଭାରତ ଆଉ ଏକ ରନ୍ ଅଧିକ କରିଥାନ୍ତା ତେବେ ଏହି ମ୍ଯାଚ ଜିତିପାରିଥାନ୍ତା ।

୧୬୧ ରନ୍‌ର ଟାର୍ଗେଟ ଜବାବରେ ଭାରତ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇଶାନ କିଶାନ (୧୦), ରିଷଭ ପନ୍ତ (୧୧), ସୂର୍ଯ୍ୟକୁମାର ଯାଦବ (୧୩) ଓ ଶ୍ରେୟାସ ଆୟର (୦) ଶସ୍ତାରେ ଆଉଟ୍ ହୋଇଥିଲେ । ଭାରତ ୯ ଓଭର ବେଳକୁ ୪ ୱିକେଟ୍ ବିନିମୟରେ ୭୫ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲା। ସେତେବେଳକୁ ଦୀପକ ହୁଡା ୯ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ୍ ରନ୍ କରି କ୍ରିଜରେ ଥିଲେ। ଭାରତକୁ ଜିତିବା ପାଇଁ ୬୬ ବଲରେ ଆହୁରି ୮୬ ରନ୍ ଆବଶ୍ୟକ ହେଉଥିଲା ।

ପୂର୍ବରୁ ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୯.୪ ଓଭରରେ ୧୬୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଡେଭନ୍ କନୱେ (୪୯ ବଲରୁ ୫୯) ଏବଂ ଗ୍ଲେନ ଫିଲିପ୍ସ (୩୩ ବଲରୁ ୫୪) ନ୍ୟୁଜିଲାଣ୍ଡ ତରଫରୁ ଅର୍ଦ୍ଧଶତକ ହାସଲ କରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟେ ୮୬ ରନ୍ ଭାଗିଦାରୀ କରିଥିଲେ । କିନ୍ତୁ ପରେ ଘରୋଇ ଦଳ ମାତ୍ର ୩୦ ରନରେ ୮ଟି ୱିକେଟ୍ ହରାଇଥିଲା। ଭାରତ ତରଫରୁ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.