ପୁଣି ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷର ଅନେକ ଯବାନ ଆହତ | News Room Odisha

ପୁଣି ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷର ଅନେକ ଯବାନ ଆହତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ରେ ପୁଣି ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିବା ଖବର ରହିଛି | ସୂଚନା ଅନୁଯାୟୀ, ଡିସେମ୍ବର ୯ ତାରିଖ ରାତିରେ ଏଲ୍ଏସି ସେକ୍ଟରରେ ଦୁଇ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷର ସୈନିକମାନେ ଆହତ ହୋଇଥିଲେ । ସୂତ୍ରରୁ ପ୍ରକାଶ ଯେ ଏହି ସଂଘର୍ଷରେ ୬ ଭାରତୀୟ ସୈନିକ ସାମାନ୍ୟ ଆହତ ହୋଇଥିଲେ । ଆହତ ସୈନିକ ମାନଙ୍କୁ ଚିକିତ୍ସା ପାଇଁ ଗୁଆହାଟୀ ସ୍ଥାନାନ୍ତର କରାଯାଇଛି । ଚୀନର ମଧ୍ୟ ଅନେକ ସୈନିକ ଆହତ ହୋଇଛନ୍ତି । ସଂଘର୍ଷ ପରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତର କମାଣ୍ଡର ଚୀନ୍ ପ୍ରତିପକ୍ଷଙ୍କ ସହ ବୈଠକ କରିଥିଲେ। ଏହି ଘଟଣା ସମ୍ପର୍କରେ ଏଯାବତ୍ ଭାରତୀୟ ସେନା ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ସୂଚନା ଅନୁଯାୟୀ, ତଓ୍ବାଙ୍ଗରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏଲ୍ଏସି ଆଡ଼କୁ ମାଡ଼ି ଆସିଥିଲା । ସେଠାରେ ମୁତୟନ ଭାରତୀୟ ସୈନିକ ଏହାକୁ ବିରୋଧ କରିଥିଲେ । ପରେ ଦୁଇ ସେନା ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା। ତେବେ ଭାରତୀୟ ସୈନିକମାନେ ଚୀନ୍ ସେନାକୁ ପଛକୁ ତଡ଼ିବାରେ ସଫଳ ହୋଇଥିଲେ ।

୨୦୨୦ରେ ଲଦାଖର ଗଲଓ୍ବାନ୍ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ଦୁଇ ସେନା ମୁହାଁମୁହିଁ ହୋଇଛନ୍ତି। ଗଲଓ୍ବାନ୍ ସଂଘର୍ଷରେ ଭାରତର ୨୦ ଯବାନ ସହିଦ୍ ହୋଇଥିବା ବେଳେ ଚୀନର ପ୍ରାୟ ୪୦ ଯବାନ ନିହତ ହୋଇଥିଲେ।