ସେନା ଦିବସରେ ଭାରତୀୟ ସେନାର ନୂଆ କମ୍ବାଟ୍ ୟୁନିଫର୍ମ ଉନ୍ମୋଚିତ

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ଭାରତୀୟ ସେନା ନିଜର ନୂଆ କମ୍ବାଟ୍ ତଥା ଯୁଦ୍ଧ ୟୁନିଫର୍ମ ଉନ୍ମୋଚିତ କରିଛି | ରାଜଧାନୀ ଦିଲ୍ଲୀର କ୍ୟାଣ୍ଟରେ ସେନା ଦିବସର ବାର୍ଷିକ ପ୍ୟାରେଡରେ ଏହି ନୂଆ ୟୁନିଫର୍ମ ପିନ୍ଧି ପାରାସୁଟ୍ ରେଜିମେଣ୍ଟର କମାଣ୍ଡୋମାନେ ମାର୍ଚ୍ଚ ପାଷ୍ଟ କରୁଥିବାର ଦେଖିବାକୁ ମିଳିଛି | ପ୍ରଥମ ଥର ପାଇଁ ସେନା ନିଜର ନୂଆ କମ୍ବାଟ୍ ତଥା ଯୁଦ୍ଧ ୟୁନିଫର୍ମ ସର୍ବସାଧାରଣରେ ଉନ୍ମୋଚିତ କରିଛି । ୭୪ ତମ ସେନା ଦିବସ ଅବସରରେ ଶନିବାର ଦିନ ଭାରତୀୟ ସେନାର ନୂଆ ଯୁଦ୍ଧ ୟୁନିଫର୍ମକୁ ପ୍ରଦର୍ଶିତ କରାଯାଇଛି ।

ଏହି ନୂଆ ଯୁଦ୍ଧ ୟୁନିଫର୍ମରେ ପାରା- ଏସ଼୍ଏଫ୍ (ସ୍ପେଶାଲ୍ ଫୋର୍ସ) କମାଣ୍ଡୋଙ୍କ ଏକ କଣ୍ଟିଜେଣ୍ଟ୍ କ୍ୟାଣ୍ଟର କାରିଆପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରାବଣେଙ୍କୁ ଅଭିବାଦନ ଜଣାଇଥିଲେ। ବର୍ତ୍ତମାନ ଯୁଦ୍ଧକ୍ଷେତ୍ର ଏବଂ ଫିଲ୍ଡ ପୋଷ୍ଟିଂ ସମୟରେ ସୈନିକମାନେ ଏହି ନୂଆ ୟୁନିଫର୍ମ ପରିଧାନ କରିବେ | ସୂଚନାନୁସାରେ, ଭାରତୀୟ ସେନା ଏନ୍ଏଫ୍ଆଇଟି ଅର୍ଥାତ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ସହାୟତାରେ ଏହି ଡିଜିଟାଲ୍ ୟୁନିଫର୍ମ ପ୍ରସ୍ତୁତ କରିଛି।

ଏହି ମଲ୍ଟି-ଟେରେନ୍ ପାଟର୍ନ (ଏମଟିପି) ୟୁନିଫର୍ମ ଦେଶର ବିଭିନ୍ନ କ୍ଷେତ୍ର ଯଥା ମରୁଭୂମି, ଜଙ୍ଗଲ ଏବଂ ପର୍ବତ ପରି ଭୌଗୋଳିକ ଅବସ୍ଥାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି | ପ୍ରାୟ ଦେଢ ବର୍ଷ ପୂର୍ବେ ସେନା ନୂଆ ଯୁଦ୍ଧ ପୋଷାକ ଉପରେ ଏକ ଷ୍ଟଡି ଗ୍ରୁପ୍ ଗଠନ କରିଥିଲା। ଏହି ଗ୍ରୁପ୍ ମହୂ ସ୍ଥିତ ଆର୍ମି ୱାର୍ କଲେଜରେ ଗଠନ କରାଯାଇଥିଲା |

ଗତ ଏକ ବର୍ଷ ମଧ୍ୟରେ, ଏହି ଗୋଷ୍ଠୀ ଅନେକ ଦେଶର ସୈନ୍ୟବାହିନୀର ୟୁନିଫର୍ମ ଅଧ୍ୟୟନ କରିବା ପରେ ଏକ ନୂଆ ଯୁଦ୍ଧ ୟୁନିଫର୍ମ ତିଆରି କରିଛନ୍ତି |

Comments are closed.