ଥୋମାସ କପ୍: ୪୩ ବର୍ଷ ପରେ ପଦକ ନିଶ୍ଚିତ କଲା ଭାରତୀୟ ବ୍ୟାଡମିଣ୍ଟନ ଦଳ

ବ୍ୟାଙ୍କକ୍ : କ୍ବାର୍ଟର ଫାଇନାଲରେ ମାଲେସିଆକୁ ୩-୨ରେ ପରାସ୍ତ କରି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଥୋମାସ କପର ସେମିଫାଇନାଲରେ ପ୍ରବେଶ କରିଛି । ଏଥିସହ ଭାରତ ଥୋମାସ କପରେ ଅତି କମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛି । ୧୯୭୯ ପରଠାରୁ ଏହି ଇଭେଣ୍ଟରେ ଭାରତ ପଦକ ଜିତି ପାରିନଥିଲା ।

ଭାରତ ଏହା ପୂର୍ବରୁ ଆନ୍ତଃ ଜୋନାଲ ଫାଇନାଲରେ ପହଞ୍ଚି ତିନୋଟି ବ୍ରୋଞ୍ଜ ଜିତିଥିଲା। ଯୋଗ୍ୟତା ଫର୍ମାଟରେ ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ଭାରତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛି ।

ପାଞ୍ଚ ଥର ଟାଇଟଲ ଜିତିଥିବା ଏକ ଦଳ ବିପକ୍ଷରେ ବିଶ୍ୱ ଆଠ ନମ୍ବର ପୁରୁଷ ଡବଲ୍ସ ଯୋଡି ଚିରାଗ ଶେଟ୍ଟି ଏବଂ ସାତ୍ବିକସାଇରାଜ ରଙ୍କିରେଡି, ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକ ବିଜେତା କିଡାମ୍ବି ଶ୍ରୀକାନ୍ତ ଏବଂ ଏଚଏସ ପ୍ରଣୟ ଭାରତକୁ ବିଜୟୀ କରାଇଛନ୍ତି। ସେମିରେ ଭାରତର ମୁକାବିଲା କୋରିଆ କିମ୍ବା ଡେନମାର୍କ ବିପକ୍ଷରେ ହେବ।

Comments are closed.