‘ମେଟା’ରେ ଯୋଗ ଦେବାର ଦୁଇ ଦିନ ପରେ ଚାକିରି ହରାଇଲେ ଭାରତୀୟ କର୍ମଚାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜାଏଣ୍ଟ ‘ମେଟା’ ନିକଟରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଏମାନଙ୍କ ମଧ୍ୟରେ ଏପରି କିଛି ଭାରତୀୟ ଆଇଟି ପ୍ରଫେସନାଲ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ପୁରୁଣା ଚାକିରି ଛାଡ଼ି ମାତ୍ର ଦୁଇ-ତିନି ଦିନ ପୂର୍ବରୁ ‘ମେଟା’ରେ ଯୋଗ ଦେଇଥିଲେ । ଖର୍ଚ୍ଚ କାଟ୍ ପାଇଁ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ‘ମେଟା’ ବିଭିନ୍ନ ଦେଶରେ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି।

ଦୁଇ ଦିନ ତଳେ ହିଁ ‘ମେଟା’ରେ ଯୋଗ ଦେଇଥିବା ଜଣେ ଆଇଟି ପ୍ରଫେସନାଲ ନୀଲିମା ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲିଙ୍କଡଇନ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଚାକିରି ହରାଇଥିବା ଲୋକଙ୍କ ମଧ୍ୟରେ ସେ ମଧ୍ୟ ଅଛନ୍ତି।

ସେ କହିଛନ୍ତି, “ସେ ଏକ ସପ୍ତାହ ପୂର୍ବରୁ ଭାରତରୁ କାନାଡାକୁ ସ୍ଥାନାନ୍ତର ହୋଇଥିଲେ ଏବଂ ଏଭଳି ଲମ୍ବା ଭିସା ପ୍ରକ୍ରିୟା ଦେଇ ଗତି କରିବା ପରେ ଦୁଇ ଦିନ ପୂର୍ବରୁ ‘ମେଟା’ରେ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ଯେ ମୋତେ ଚାକିରିରୁ ବାହାର କରିଦିଆଗଲା।” ସେ ଏହା ପୂର୍ବରୁ ହାଇଦ୍ରାବାଦର ମାଇକ୍ରୋସଫ୍ଟ କାର୍ଯ୍ୟାଳୟରେ କାମ କରୁଥିଲେ । କିନ୍ତୁ ‘ମେଟା’ ପାଇଁ ଚାକିରି ଛାଡିଥିଲେ।

ବିଶ୍ୱଜିତ୍ ନାମକ ଆଉ ଜଣେ ଆଇଟି ପ୍ରଫେସନାଲ କହିଛନ୍ତି ଯେ ବାଙ୍ଗାଲୋରର ଆମାଜନ କାର୍ଯ୍ୟାଳୟରେ ତିନି ବର୍ଷରୁ ଅଧିକ ସମୟ କାମ କରିବା ପରେ ସେ ତିନି ଦିନ ତଳେ ହିଁ ‘ମେଟା’ରେ ଯୋଗ ଦେଇଥିଲେ । ବର୍ତ୍ତମାନ ତାଙ୍କୁ ଛଟେଇ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପ୍ ଭଳି ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ମେଟା’ ଦ୍ୱାରା ପରିଚାଳିତ ହେଉଛି |

Comments are closed.