ବିଶ୍ୱକପ ଫାଇନାଲ୍ ପାଇଁ ଅମ୍ପାୟାର କେଟଲବରୋଙ୍କ ନାଁ ଘୋଷଣା ପରେ ଭାରତୀୟ ପ୍ରଶଂସକଙ୍କ ଚିନ୍ତା ବଢ଼ିଲା, କାହିଁକି ଜାଣନ୍ତୁ

ଅହମ୍ମଦାବାଦ: ଆସନ୍ତାକାଲି (ରବିବାର) ଅହମ୍ମଦାବାଦରେ ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ଖେଳାଯିବ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

ଫାଇନାଲ ମ୍ୟାଚରେ ଇଂଲଣ୍ଡର ଅମ୍ପାୟର ରିଚାର୍ଡ କେଟଲବରୋ ଓ ରିଚାର୍ଡ ଇଲିଙ୍ଗୱର୍ଥ ମ୍ୟାଚ୍ ପରିଚାଳନା କରିବେ। ତେବେ ଫାଇନାଲ୍ ପାଇଁ କେଟଲବରୋଙ୍କ ନାମ ଘୋଷଣା ହେବା କ୍ଷଣି ଭାରତୀୟ କ୍ରିକେଟ୍ ଫ୍ୟାନମାନେ ପ୍ରମାଦ ଗଣିଲେଣି ।

ଏହାର କାରଣ ହେଉଛି ଯେଉଁ ଆଇସିସି ନକ୍ ଆଉଟ୍ ମ୍ୟାଚ୍ ଗୁଡ଼ିକରେ ରିଚାର୍ଡ କେଟଲବରୋ ଅମ୍ପାୟାରିଂ କରିଛନ୍ତି, ଭାରତୀୟ ଦଳ ସେହି ସବୁ ମ୍ୟାଚ୍ ହାରିଛି ।

୨୦୧୫ର ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ଭାରତ । ସେହି ମ୍ୟାଚରେ କେଟଲବରୋ ଅମ୍ପାୟାର ଥିଲେ । ଏହାଛଡ଼ା ୨୦୧୬ ଟି-୨୦ ବିଶ୍ୱକପର ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ନିକଟରୁ ପରାସ୍ତ ହୋଇଥିଲା ଭାରତ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଭାରତକୁ ହରାଇଥିଲା। ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରି ବିଦାୟ ନେଇଥିଲା ଭାରତ । ଏହି ସବୁ ନକ୍ ଆଉଟ୍ ମ୍ୟାଚ୍ ଗୁଡ଼ିକରେ କେଟଲବରୋ ଅମ୍ପାୟାର ଥିଲେ ।

ଇଂଲଣ୍ଡର ଏହି ଅମ୍ପାୟର ଭାରତ ପାଇଁ ଅଶୁଭ ବୋଲି ଭାବୁଛନ୍ତି ଭାରତୀୟ ପ୍ରଶଂସକ ।

ପ୍ରତୀକ ମୋଦୀ ନାମକ ଜଣେ ଭାରତୀୟ ଫ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ପ୍ଲିଜ୍ ଏହି ରବିବାର ଆମ ଉପରେ ଟିକିଏ ଦୟା କରନ୍ତୁ ରିଚାର୍ଡ କେଟଲବରୋ..।”

ଅଶ୍ୱିନ୍ ନାମକ ଜଣେ ୟୁଜର ଲେଖିଛନ୍ତି, “ଫାଇନାଲ୍ ମ୍ୟାଚ୍ ଦିନ ରିଚାର୍ଡ କେଟଲବରୋ ଫିଲ୍ଡ ଅମ୍ପାୟାରମାନଙ୍କ ମଧ୍ୟରୁ ଜଣେ । ତଥାପି ସେମାନେ ସବୁକିଛି ଫିକ୍ସ ବୋଲି କହୁଛନ୍ତି କି?”

ସ୍ପୋର୍ଟସ୍ କ୍ରିକେଟ୍ ନାମକ ଏକ ହ୍ୟାଣ୍ଡଲ୍ ଲେଖିଛି, “ହେ ଭଗବାନ କାହିଁକି ଏହି ବ୍ୟକ୍ତି ଏବେ ବି ଭାରତରେ ଅଛନ୍ତି? ସେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଦଳ ସହ ସ୍ବଦେଶ ଫେରିଯିବା ଉଚିତ। ”

ସ୍ପୋର୍ଟକିଡ଼ା ନାମକ ଏକ ହ୍ୟାଣ୍ଡଲ୍ ସେହି ମ୍ୟାଚଗୁଡିକର ଏକ ଗ୍ରାଫିକ୍ ସେୟାର କରିଛି ଯେଉଁଥିରେ ରିଚାର୍ଡ କେଟଲବରୋ ଅମ୍ପାୟାର ଥିବାବେଳେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା |

Comments are closed.