ଭାରତୀୟ ଫୁଟବଲ୍ କିମ୍ବଦନ୍ତୀ ମହମ୍ମଦ ହବିବଙ୍କ ପରଲୋକ

ନୂଆଦିଲ୍ଲୀ: ସତୁରି ଦଶକର ମହାନ ଫୁଟବଲର୍ ତଥା ପେଲେଙ୍କ ନ୍ୟୁୟର୍କ କସ୍ମୋସ ବିପକ୍ଷରେ ମୋହନ ବାଗାନ ତରଫରୁ ଗୋଲ୍ ସ୍କୋର କରିଥିବା ମହମ୍ମଦ ହବିବଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି ।

ବିସ୍ମରଣ ଏବଂ ପାର୍କିନ୍ସନ୍ ରୋଗ ସହ ଦୀର୍ଘ ଦିନର ସଂଗ୍ରାମ ପରେ ହବିବ୍ ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପତ୍ନୀ ଏବଂ ତିନି ଝିଅ ଅଛନ୍ତି।

ବ୍ୟାଙ୍କକ୍ ୧୯୭୦ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ଜଣେ ସଦସ୍ୟ ହବିବ ମୋହନ ବାଗାନ, ଇଷ୍ଟ ବେଙ୍ଗଲ ଏବଂ ମହମ୍ମଦ ସ୍ପୋର୍ଟିଂ ପାଇଁ ଖେଳିଥିଲେ। ପରେ ସେ ଟାଟା ଫୁଟବଲ ଏକାଡେମୀର କୋଚ୍ ମଧ୍ୟ ହୋଇଥିଲେ।

ସେ ହଳଦିଆରେ ଥିବା ଭାରତୀୟ ଫୁଟବଲ ସଂଘ ଏକାଡେମୀର ମୁଖ୍ୟ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ହବିବ୍ ୧୯୭୭ ମସିହାରେ ଇଡେନ୍ ଗାର୍ଡେନ୍ସରେ ପେଲେଙ୍କ କସ୍ମୋସ୍ କ୍ଲବ୍ ବିପକ୍ଷ ଏକ ପ୍ରଦର୍ଶନୀ ମ୍ୟାଚରେ ଗୋଲ୍ କରିଥିଲେ। ସେହି ଦଳରେ ପେଲେ, କାର୍ଲୋସ ଆଲବର୍ଟୋ, ଜର୍ଜିଆଓ ସି ଭଳି ମହାନ ଖେଳାଳି ରହିଥିଲେ | ବର୍ଷାରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍ ୨-୨ରେ ଡ୍ର ରହିଥିଲା | ମ୍ୟାଚ୍ ପରେ ପେଲେ ହବିବଙ୍କୁ ପ୍ରଶଂସା କରିଥିଲେ।

Comments are closed.