ଏସୀୟ କ୍ରୀଡ଼ା ହକି: ପାକିସ୍ତାନକୁ ରେକର୍ଡ ବ୍ୟବଧାନରେ ହରାଇଲା ଭାରତ | News Room Odisha

ଏସୀୟ କ୍ରୀଡ଼ା ହକି: ପାକିସ୍ତାନକୁ ରେକର୍ଡ ବ୍ୟବଧାନରେ ହରାଇଲା ଭାରତ

ହାଙ୍ଗଝୋ :ଉନବିଂଶ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଇଭେଣ୍ଟରେ ଭାରତ ଶନିବାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦-୨ ଗୋଲରେ ହରାଇ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିଛି। ମ୍ୟାଚରେ ହରମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆରମ୍ଭରୁ ଶେଷ ଯାଏଁ ପାକିସ୍ତାନ ଉପରେ ପ୍ରଧାନ୍ୟ ଜାହିର କରିଥିଲା । ଚଳିତ ଏସୀୟ କ୍ରୀଡ଼ା ହକି ଇଭେଣ୍ଟରେ ଭାରତୀୟ ଦଳର ଏହା କ୍ରମାଗତ ଚତୁର୍ଥ ବିଜୟ। ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ପାକିସ୍ତାନ ବିପକ୍ଷରେ ଭାରତର ଏହି ସବୁଠୁ ବଡ଼ ବିଜୟ। ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ୧୦ଟି ଗୋଲ୍ କରିଛି । ଟୁର୍ଣ୍ଣାମେଣ୍ଟରେ ଏହା ପାକିସ୍ତାନର ପ୍ରଥମ ପରାଜୟ।

ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଉଜବେକିସ୍ତାନକୁ ୧୬-୦ରେ ପରାସ୍ତ କରିଥିବା ବେଳେ ସିଙ୍ଗାପୁରକୁ ୧୬-୧ରେ ହରାଇଥିଲା । ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚରେ ଗତ ଥରର ସ୍ୱର୍ଣ୍ଣ ପଦକ ବିଜେତା ଜାପାନକୁ ୪-୨ରେ ପରାସ୍ତ କରି ବିଜୟର ହ୍ୟାଟ୍ରିକ୍ ପୂରଣ କରିଥିଲା |

ପାକିସ୍ତାନ ବିପକ୍ଷ ପୁଲ୍ ଏ ମ୍ୟାଚ୍ ରେ ଭାରତ ପ୍ରଥମ କ୍ୱାର୍ଟରରେ ୨-୦ରେ ଆଗୁଆ ରହିଥିଲା। ଭାରତ ପାଇଁ ମନଦୀପ ସିଂ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂ ଏକାଦଶ ମିନିଟରେ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୨-୦ରେ ଆଗରେ ରଖିଥିଲେ। ୧୭ ତମ ମିନିଟରେ ହରମନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତର ଅଗ୍ରଣୀକୁ ୩-୦ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ହରମନପ୍ରୀତ ସିଂ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ।

ମ୍ୟାଚର ୩୪ ତମ ମିନିଟରେ ହରମନପ୍ରୀତ ସିଂ ଆଉ ଏକ ଗୋଲ ଦେଇ ଭାରତର ଅଗ୍ରଣୀକୁ ୬-୦କୁ ବୃଦ୍ଧି କରିଥିଲେ। ୪୧ତମ ମିନିଟରେ ବରୁଣ କୁମାରଙ୍କ ଗୋଲ ଦ୍ବାରା ଭାରତର ଅଗ୍ରଣୀ ୭-୨ ହୋଇଥିଲା । ୪୬ତମ ମିନିଟରେ ଶମସେର ସିଂ ଅଷ୍ଟମ ଗୋଲ କରିଥିବାବେଳେ ଜରମନପ୍ରୀତ ସିଂ ୪୯ ମିନିଟରେ ନବମ ଗୋଲ୍ ଦେଇଥିଲେ। ବରୁଣ ପୁଣି ୫୩ତମ ମିନିଟରେ ଭାରତ ପାଇଁ ଦଶମ ଗୋଲ୍ ସ୍କୋର କରିଥିଲେ।
ଭାରତ ଏବଂ ପାକିସ୍ତାନ ଗତ ମାସରେ ଚେନ୍ନାଇରେ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚରେ ବି ଭାରତ ୪-୦ରେ ପାକିସ୍ତାନକୁ ହରାଇଥିଲା । ୨୦୧୩ରୁ ଏସୀୟ କ୍ରୀଡ଼ାରେ ଭାରତ ଏବଂ ପାକିସ୍ତାନର ୨୪ ଥର ମୁହାଁମୁହିଁ ହୋଇଛନ୍ତି । ଏଥିମଧ୍ୟରୁ ଭାରତ ୧୬ଟି ମ୍ୟାଚ୍ ଓ ପାକିସ୍ତାନ ୫ଟି ମ୍ୟାଚ୍ ଜିତିଛି | ତିନୋଟି ମ୍ୟାଚ୍ ଡ୍ର ରହିଛି |