ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ପ୍ରଥମ ଦୁଇଟି ମ୍ୟାଚରୁ ରୋହିତ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଦୁଇଟି ଦିନିକିଆରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି,ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଛି । ଏସିଆ କପରେ ସୁଯୋଗ ପାଇନଥିବା ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଉପଅଧିନାୟକ ରହିବେ । ତେବେ ତୃତୀୟ ମ୍ୟାଚରେ ରୋହିତ, କୋହଲି, ଅକ୍ଷର ଓ ପାଣ୍ଡ୍ୟା ଫେରିବେ।

ଏହି ଦିନିକିଆ ସିରିଜ ପାଇଁ ଏସିଆନ୍ ଗେମ୍ସରେ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ ହୋଇଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡଙ୍କୁ ମଧ୍ୟ ସାମିଲ କରାଯାଇଛି । ତାଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠିଥିବା ବେଳେ ଶ୍ରେୟସ୍ ଆୟର ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏହି ଦିନିକିଆ ସିରିଜରେ ସ୍ଥାନ ବଜାୟ ରଖିଛନ୍ତି । ପିଠିରେ ପୁଣି ଯନ୍ତ୍ରଣା ଯୋଗୁଁ ଶ୍ରେୟସ୍ ଏସିଆ କପ୍‌ରେ କେବଳ ଦୁଇଟି ମ୍ୟାଚ୍‌ ଖେଳିଥିଲେ । ବିଶ୍ବକପ୍ ପୂର୍ବରୁ ଭାରତର ଏହା ଶେଷ ଦିନିକିଆ ସିରିଜ୍ ହେବ । ସେପ୍ଟେମ୍ବର ୨୨ରୁ ମୋହାଲିରେ ଆରମ୍ଭ ହେବ ଏହି ସିରିଜ୍।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ:
କେଏଲ୍ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଏକୱାଡ, ଶ୍ରେୟାସ ଆୟର, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା (ଉପଅଧିନାୟକ) ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ୱାଶିଂଟନ୍ ସୁନ୍ଦର।

ତୃତୀୟ ଦିନିକିଆ ପାଇଁ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ ମହମ୍ମଦ ଶାମି, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍ ଏବଂ ୱାଶିଂଟନ୍ ସୁନ୍ଦର।

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ମ୍ୟାଚ୍- ୨୨ ସେପ୍ଟେମ୍ବର- ମୋହାଲି |
ଦ୍ୱିତୀୟ ମ୍ୟାଚ୍- ୨୫ ସେପ୍ଟେମ୍ବର- ଇନ୍ଦୋର |
ତୃତୀୟ ମ୍ୟାଚ୍- ୨୭ ସେପ୍ଟେମ୍ବର- ରାଜକୋଟ |

Comments are closed.