ରାଜ୍ୟଗୋଷ୍ଠୀ କ୍ରୀଡା: ପଦାର୍ପଣରେ ସ୍ବର୍ଣ୍ଣ ଜିତିଲେ ରେସଲର ରବି ଦହିୟା

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପଦକ ବର୍ଷା ଜାରି ରହିଛି । ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରୁଥିବା ରେସଲର ରବି ଦହିୟା ପୁରୁଷ ୫୭ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଲିମ୍ପିକ୍ ମେଡାଲିଷ୍ଟ ରବି ଫାଇନାଲ ମ୍ୟାଚରେ ନାଇଜେରିଆର ରେସଲର ଇ.ଭେଲସନଙ୍କୁ ୧୦-୦ରେ ପରାସ୍ତ କରିଥିଲେ | ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ଦଶମ ସ୍ୱର୍ଣ୍ଣ ପଦକ । କୁସ୍ତିରେ ଏହା ହେଉଛି ଚତୁର୍ଥ ସ୍ୱର୍ଣ୍ଣ ପଦକ |

ରବି ସେମିଫାଇନାଲରେ ପାକିସ୍ତାନର ଅସାଦ ଅଲିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେ ଏହି ମ୍ୟାଚ୍ ୧୪-୪ରେ ଜିତିଥିଲେ | ତା’ପୂର୍ବରୁ ସେ କ୍ୱାର୍ଟର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ରେସଲର ସୁରଜଙ୍କୁ ୧ ମିନିଟ ୧୪ ସେକେଣ୍ଡରେ ୧୦-୦ ରେ ହରାଇଥିଲେ ।

ରବିଙ୍କ ପୂର୍ବରୁ ମହିଳା ୫୦ କିଲୋଗ୍ରାମ ରେସଲିଂରେ ପୂଜା ଗେହଲୋଟ୍ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ସ୍କଟଲ୍ୟାଣ୍ଡର ଖ୍ରୀଷ୍ଟେଲ ଲେମୋଫାକଙ୍କୁ ୧୨-୨ରେ ପରାସ୍ତ କରିଥିଲେ | ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୩୨ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଶନିବାର ମହିଳା ବକ୍ସିଂରେ ଜସ୍ମିନ୍ ଭାରତକୁ ପ୍ରଥମ ପଦକ ଦେଇଥିଲେ। ମହିଳା ବକ୍ସିଂର ୬୦ କିଲୋଗ୍ରାମ ଓଜନ ବର୍ଗରେ ଜସ୍ମିନଙ୍କୁ ଇଂଲଣ୍ଡର ଜେମା ପାଏଜ୍ ରିଚାର୍ଡସନଙ୍କ ଠାରୁ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା |

Comments are closed.