ରାଜ୍ୟଗୋଷ୍ଠୀ କ୍ରୀଡା: ଅଷ୍ଟମ ଦିନରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପଦକ ବର୍ଷା, ତିନି ସ୍ବର୍ଣ୍ଣ ସହ ଦେଲେ ୬ ପଦକ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ଅଷ୍ଟମ ଦିନରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପଦକ ବର୍ଷା, ତିନି ସ୍ବର୍ଣ୍ଣ ସହ ଦେଲେ ୬ ପଦକ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଅଷ୍ଟମ ଦିନରେ ଭାରତୀୟ କୁସ୍ତିଯୋଦ୍ଧା ମାନେ ପଦକ ବର୍ଷା କରିଛନ୍ତି । କୁସ୍ତିରେ ଶୁକ୍ରବାର ୩ଟି ସ୍ବର୍ଣ୍ଣ ସହ ମୋଟ ୬ଟି ପଦକ ମିଳିଛି । ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ପରେ ଦୀପକ ପୁନିଆ କୁସ୍ତିରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅଂଶୁ ମଲିକ ରୌପ୍ୟ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷର ଦିବ୍ୟା ଓ ମୋହିତ ବ୍ରୋଞ୍ଜ ପଦକ ହାତେଇଛନ୍ତି । ସେ ପୁରୁଷ ୮୬ କିଲୋଗ୍ରାମ ବର୍ଗରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କୁସ୍ତିରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ ।

ଦୀପକ ଇନାମଙ୍କ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ପାକିସ୍ତାନୀ ରେସଲରଙ୍କୁ ଗୋଟିଏ ବି ସୁଯୋଗ ଦେଇନଥିଲେ। ଦୀପକ ଏହି ସ୍ବର୍ଣ୍ଣ ପଦକ ମ୍ୟାଚକୁ ୩-୦ରେ ଜିତିଥିଲେ।

କୁସ୍ତିରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ ଏବଂ ଓଭରଅଲ ଚତୁର୍ଥ ପଦକ | ଏହାପୂର୍ବରୁ ଅଂଶୁ ମଲିକ ରୌପ୍ୟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଭାରତର ଷ୍ଟାର୍ ରେସଲର ବଜରଙ୍ଗ ପୁନିଆ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ବର୍ଗରେ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ ୯-୨ରେ ପରାସ୍ତ କରି ସ୍ୱର୍ଣ୍ଣ ବଜାୟ ରଖିଥିଲେ।

ବଜରଙ୍ଗ ଏହା ପୂର୍ବରୁ ୨୦୧୮ ସଂସ୍କରଣରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ ।‌‌ ସେ ୨୦୧୪ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ |

ବଜରଙ୍ଗଙ୍କ ପରେ ସାକ୍ଷୀ ମଲିକ ମହିଳା ଫ୍ରିଷ୍ଟାଇଲ୍ ୬୨ କିଲୋଗ୍ରାମ ବର୍ଗରେ କାନାଡାର ଆନ୍ନା ଗୋଡିନେଜ୍ ଗୋଞ୍ଜାଲେଜଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ସାକ୍ଷୀ ମଲିକଙ୍କର ଏହା ହେଉଛି ପ୍ରଥମ ସ୍ବର୍ଣ୍ଣ ପଦକ | ସାକ୍ଷୀ ପୂର୍ବରୁ ରୌପ୍ୟ (୨୦୧୪) ଏବଂ ବ୍ରୋଞ୍ଜ ପଦକ (୨୦୧୮) ଜିତିଥିଲେ |

ଶୁକ୍ରବାର ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୫୭ କିଲୋଗ୍ରାମ ଓଜନ ବର୍ଗରେ ଅଂଶୁ ମଲିକଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେ ଫାଇନାଲ ମ୍ୟାଚରେ ନାଇଜେରିଆର ଓଡୁନାୟୋ ଆଡେକୁରୋଏ ଠାରୁ ପରାସ୍ତ ହୋଇଥିଲେ ।

ଅନ୍ୟପକ୍ଷରେ ଭାରତର ମୋହିତ ଗ୍ରେଓ୍ବାଲ ୧୨୫ କେଜି ବର୍ଗରେ ଓ ଦିବ୍ୟା କାକରନ୍ ମହିଳା ୬୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ।