‘ରାଣୀ ଏଲିଜାବେଥଙ୍କ ସମ୍ମାନରେ ରାଷ୍ଟ୍ରୀୟ ଶୋକ କାହିଁକି?’ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଲୋକେ

ନୂଆଦିଲ୍ଲୀ: ରବିବାର ରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଭାରତ ଆଜି ଶୋକ ପାଳନ କରୁଛି । ତେବେ ‘ଦାସତ୍ୱର ପ୍ରତୀକ’ ଦର୍ଶାଇ ରାଜପଥର ନାମ ପରିବର୍ତ୍ତନ କରିଥିବା ଓ ନୌସେନାର ନୂଆ ପତାକା ଉନ୍ମୋଚନ କରିଥିବା ରାଣୀ ଏଲିଜାବେଥଙ୍କ ସମ୍ମାନରେ ଶୋକ ପାଳନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି ।

ଲିଲିବେଟ୍ ନାମରେ ପ୍ରସିଦ୍ଧ ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଗୁରୁବାର ସ୍କଟଲ୍ୟାଣ୍ଡର ବାଲମୋରାଲ୍ ମହଲରେ ପରଲୋକ ହୋଇଯାଇଥିଲା । ବ୍ରିଟିଶ ରାଜତନ୍ତ୍ର ଇତିହାସରେ ସେ ସବୁଠୁ ଦୀର୍ଘ ଦିନ ଧରି ଶାସନ କରିଥିଲେ । ରାଣୀ ଏଲିଜାବେଥ୍ ସର୍ବାଧିକ ୭୦ ବର୍ଷ କାଳ ବ୍ରିଟେନର ସାମ୍ରାଜ୍ଞୀ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା |

ଦିଲ୍ଲୀର ଲେଖକ ସ୍ବପ୍ନିଲ ନରେନ୍ଦ୍ର କହିଛନ୍ତି, “ଯେଉଁ ଦେଶ ଦାସତ୍ୱର ପ୍ରତୀକ ହଟାଇବା ନାଁରେ ନୌସେନା ପତାକା ବଦଳାଉଛି ସେହି ଦେଶ ଏଲିଜାବେଥଙ୍କ ସମ୍ମାନରେ ଶୋକ ଘୋଷଣା କରିବା ଏକ ବିରୋଧାଭାସ ।”

ବିଶ୍ବବ୍ୟାପୀ ଲୋକମାନେ ରାଣୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶହ ଶହ ଦାତବ୍ୟ ସଂସ୍ଥାକୁ ତାଙ୍କର ଅବଦାନ ଉପରେ ଆଲୋକପାତ କରୁଥିବା ବେଳେ ଆଉ କିଛି ଲୋକ ବ୍ରିଟିଶ ରାଜର ଉପନିବେଶ ଥିବା ଦେଶମାନେ କିପରି ସମସ୍ୟା ଭୋଗିଥିଲେ ତାହା ମନେ ପକେଇଛନ୍ତି ।

ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପିଏଚଡି ସ୍କଲାର୍ ଅନନ୍ୟା ଭରଦ୍ୱାଜ କହିଛନ୍ତି ଯେ ଜଣେ ଭାରତୀୟ ଭାବେ ମୁଁ ଉତ୍ତର-ଉପନିବେଶିକ ଭାବେ ନିଜକୁ ପରିଚିତ କରାଇଥାଏ। ତେଣୁ ଭାରତରେ ବ୍ରିଟେନ ରାଣୀଙ୍କ ପାଇଁ ଗୋଟିଏ ଦିନ ଶୋକ ପାଳନ ବିଷୟରେ ଶୁଣିବା ଅତ୍ୟନ୍ତ ନିରାଶାଜନକ।

ଭାରତ ୫୬ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ରାଜ୍ୟଗୋଷ୍ଠୀ ସମୂହର ଏକ ଅଂଶବିଶେଷ । ଏଥିମଧ୍ୟରୁ ଅଧିକାଂଶ ରାଷ୍ଟ୍ର ବ୍ରିଟିଶ ସାମ୍ରାଜ୍ୟର ଉପନିବେଶ ଥିଲେ ।

ରାଣୀଙ୍କ ଦେହାନ୍ତ ଖବର ଇଣ୍ଟରନେଟରେ ଭାଇରାଲ ହେବା ପରେ ଟ୍ୱିଟରରେ ଅନେକ ଲୋକ ରାଣୀଙ୍କ ମୁକୁଟରେ ଶୋଭା ପାଉଥିବା କୋହିନୂର ହୀରା ଭାରତ ଫେରାଇ ଆଣିବାକୁ ଦାବି କରିଥିଲେ । ଆଉ କିଛି ଲୋକ ରାଣୀ ଏଲିଜାବେଥଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ ।

ଜଣେ ଟ୍ବିଟର ୟୁଜର କହିଛନ୍ତି, “ଆମେ ବର୍ତ୍ତମାନ ଆମର #Kohinoor ଫେରାଇ ଆଣିପାରିବା କି? ମନେରଖନ୍ତୁ, ରାଣୀ ଏଲିଜାବେଥ ଉପନିବେଶର କେବଳ ଜଣେ ପ୍ରତୀକ ନୁହଁନ୍ତି ବରଂ ଉପନିବେଶବାଦରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। #QueenElizabeth #India ”

ଅନ୍ୟ ଜଣେ ୟୁଜର ଟ୍ୱିଟ୍ କରି କହିଛନ୍ତି ଯେ “#QueenElizabethଙ୍କ ମୃତ୍ୟୁରେ ଶୋକ କରିବାର ଭାରତର ନିଷ୍ପତ୍ତି ଆମର ସ୍ୱାଧୀନତା ସଂଗ୍ରାମୀ ତଥା ସେମାନଙ୍କ ବଳିଦାନ ପ୍ରତି ଅସମ୍ମାନ ।”

ଅନ୍ୟପକ୍ଷରେ ଆଉ କିଛି ଲୋକ ସରକାରଙ୍କ ମନ୍ତବ୍ୟ ଏବଂ ନିଷ୍ପତ୍ତି ମଧ୍ୟରେ ତାଳମେଳ ରହୁନଥିବା କହିଛନ୍ତି ।

ନରେନ୍ଦ୍ର ନାମକ ଜଣେ ୟୁଜର କହିଛନ୍ତି, “ମୋର ଶୋକ ପାଳନରେ କୌଣସି ଅସୁବିଧା ନାହିଁ, କିନ୍ତୁ ମୋ’ ସରକାର ମୋତେ କ’ଣ କହିବାକୁ ଚେଷ୍ଟା କରୁଛନ୍ତି ତାହା ନେଇ ମୁଁ ଦ୍ୱନ୍ଦ୍ୱରେ ପଡିଛି। ଯଦି ସରକାର ‘ଦାସତ୍ୱର ପ୍ରତୀକ’କୁ ଶେଷ କରିବାକୁ ଚାହୁଁଛନ୍ତି, ତେବେ ଆମେ କାହିଁକି ବ୍ରିଟେନ ରାଣୀଙ୍କ ମୃତ୍ୟୁରେ ଶୋକ ପାଳୁଛୁ?”

କର୍ତ୍ତବ୍ୟ ପଥ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଥିଲେ କି, “ଦାସତ୍ୱର ପ୍ରତୀକ” କିଙ୍ଗସୱେ ଅବା ରାଜପଥ ଏବେ ଇତିହାସ ପାଲଟିଛି ଏବଂ ସବୁଦିନ ପାଇଁ ହଟାଇ ଦିଆଯାଇଛି । କର୍ତ୍ତବ୍ୟ ପଥରେ ଏକ ନୂଆ ଇତିହାସ ଜନ୍ମ ହୋଇଛି ଏବଂ ଏହା ନେତାଜୀ ସୁଭାଷ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସହିତ ରହିଛି। ବୋଷ ବର୍ତ୍ତମାନ ଇଣ୍ଡିଆ ଗେଟ୍ ରେ ଦେଶକୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବେ |

ସେପ୍ଟେମ୍ବର ୨ରେ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ ନୌସେନାର ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ନୌସେନାର ନୂଆ ପତାକା ଉନ୍ମୋଚନ କରି କହିଥିଲେ ଯେ ଦେଶ “ଦାସତ୍ୱର ବୋଝ” ନିଜ ଉପରୁ ଓହ୍ଲାଇ ଦେଇଛି।

ମାର୍କେଟିଂ ପ୍ରଫେସନାଲ ମଧୁଲିକା ଗୁପ୍ତା କହିଛନ୍ତି, “ମୁଁ ଭାବୁଛି ରୟାଲ୍ଟି ହେଉ କି ନ ହେଉ, ଯେଉଁ ବ୍ୟକ୍ତିଙ୍କ ମାନବିକତା ବିରୋଧରେ ଅପରାଧ ଏବଂ ତାଙ୍କ ବର୍ଣ୍ଣ ବୈଷମ୍ୟବାଦୀ ଓ ଶ୍ୱେତାଙ୍ଗ ଆଧିପତ୍ୟବାଦୀ ବିଷୟରେ ସ୍ପଷ୍ଟ ଭାବରେ ଲିପିବଦ୍ଧ ହୋଇସାରିଛି ତାଙ୍କର ବିୟୋଗରେ ଶୋକ ପାଳିବା ଅନୁଚିତ୍ ।

Comments are closed.