ଶିନା ବୋରା ବଞ୍ଚିଛନ୍ତି ! ସିବିଆଇକୁ ଚିଠି ଲେଖି ଦାବି କଲେ ଇନ୍ଦ୍ରାଣୀ

ମୁମ୍ବାଇ: ଶିନା ବୋରା ହତ୍ୟା ମାମଲାରେ ପୁଣି ଥରେ ନୂଆ ମୋଡ଼ ଆସିଛି । ମୁଖ୍ୟ ଅଭିଯୁକ୍ତ ତଥା ଶିନା ବୋରାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ଝିଅ ବଞ୍ଚିଛନ୍ତି । ଶିନା ବୋରାଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ଇନ୍ଦ୍ରାଣୀ ଜେଲରୁ ସିବିଆଇକୁ ଚିଠି ଲେଖି ଏଭଳି ଦାବି କରିଛନ୍ତି । ଚିଠିରେ ଇନ୍ଦ୍ରାଣୀ କହିଛନ୍ତି ଯେ ଶିନା ବୋରା ବଞ୍ଚିଛନ୍ତି ଏବଂ ସିବିଆଇ ତାଙ୍କୁ ଖୋଜିବା ଉଚିତ୍। ଇନ୍ଦ୍ରାଣୀ ସିବିଆଇକୁ ଲେଖିଥିବା ଚିଠିରେ କହିଛନ୍ତି ଯେ କାଶ୍ମୀରରେ ଶିନା ବୋରାଙ୍କୁ ସେ ଭେଟିଥିଲେ ବୋଲି ଜଣେ ମହିଳା କଏଦୀ ତାଙ୍କୁ କହିଛନ୍ତି । ସିବିଆଇ ଏହାର ଯାଞ୍ଚ କରିବା ପାଇଁ ଇନ୍ଦ୍ରାଣୀ ଦାବି କରିଛନ୍ତି।

ଇନ୍ଦ୍ରାଣୀଙ୍କ ଓକିଲ କହିଛନ୍ତି ଯେ ଇନ୍ଦ୍ରାଣୀ ଏହି ଚିଠିକୁ ସିଧାସଳଖ ସିବିଆଇକୁ ପଠାଇଛନ୍ତି, ତେଣୁ ସେଥିରେ କ’ଣ ଲେଖାଯାଇଛି ତାହା ସେ ଜାଣି ନାହାଁନ୍ତି । ଇନ୍ଦ୍ରାଣୀଙ୍କୁ ଜେଲରେ ଭେଟିବା ପରେ ହିଁ ସେ ଏହି ବିଷୟରେ କିଛି କହିପାରିବେ।

ସୂଚନାଯୋଗ୍ୟ ଯେ ଶିନା ବୋରା ତାଙ୍କର ପ୍ରଥମ ବିବାହରୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଝିଅ ଥିଲେ | ୨୫ ବର୍ଷୀୟା ବୟସ୍କା ଶିନା ବୋରାଙ୍କୁ ହତ୍ୟା ଅଭିଯୋଗରେ ୨୦୧୫ରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ମୁମ୍ବାଇର ବାଇକୁଲ୍ଲା ଜେଲରେ ଅଛନ୍ତି। ଏହି ମାମଲାରେ ସିବିଆଇ ତିନୋଟି ଚାର୍ଜସିଟ୍ ଏବଂ ଦୁଇଟି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ଇନ୍ଦ୍ରାଣୀ ମୁଖାର୍ଜୀ, ତାଙ୍କ ଡ୍ରାଇଭର ଶ୍ୟାମବର ରାୟ, ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନା ଏବଂ ପିଟର ମୁଖାର୍ଜୀଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିବିଆଇ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ସେ ୨୦୨୦ରେ ଜାମିନରେ ଜେଲରୁ ମୁକୁଳିଥିଲେ ।

Comments are closed.