ଆଜି ଆଇପିଏଲ୍ ନିଲାମ: ଦଳ ମାନଙ୍କ ସମ୍ଭାବ୍ୟ ରଣନୀତି ଉପରେ ଏକ ନଜର | News Room Odisha

ଆଜି ଆଇପିଏଲ୍ ନିଲାମ: ଦଳ ମାନଙ୍କ ସମ୍ଭାବ୍ୟ ରଣନୀତି ଉପରେ ଏକ ନଜର

ଦୁବାଇ: ପ୍ରତିଭାବାନ ଭାରତୀୟ ଖେଳାଳିଙ୍କ ସୀମିତ ବିକଳ୍ପ ଯୋଗୁଁ ଆଇପିଏଲ୍ ୨୦୨୪ ପାଇଁ ମଙ୍ଗଳବାର ଏଠାରେ ହେବାକୁ ଥିବା ମିନି ନିଲାମ ବେଶ୍ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ପ୍ରଥମ ଥର ପାଇଁ ଆଇପିଏଲ୍ ନିଲାମ ବିଦେଶରେ ହେଉଛି।

ଏପରିକି ଯେଉଁ ଖେଳାଳି ମାନଙ୍କ ନିୟମିତ ନିଲାମରେ ବିଡ୍ ପାଇବା ସମ୍ଭାବନା କମ୍ ଥାଏ, ସେମାନେ ପ୍ରାୟତଃ ଏଥିରେ ବିପୁଳ ପରିମାଣର ଅର୍ଥ ପାଇଥା’ନ୍ତି |

ଆସନ୍ତୁ ଏହି ନିଲାମରେ ଦଳ ଗୁଡ଼ିକର ସମ୍ଭାବ୍ୟ ରଣନୀତି ଉପରେ ନଜର ପକାଇବା..

୧. ଚେନ୍ନାଇ ସୁପର କିଙ୍ଗ୍ସ: ଉପଲବ୍ଧ ରାଶି ୩୧.୪ କୋଟି

ସମ୍ଭାବ୍ୟ ଖେଳାଳି: ଶାର୍ଦ୍ଦୁଲ ଠାକୁର, ମନୀଷ ପାଣ୍ଡେ, ଜୋଶ ହାଜଲେଉଡ୍ |

ପୂର୍ବରୁ ମଧ୍ୟ ଶାର୍ଦ୍ଦୁଲ ଠାକୁର ଏହି ଦଳ ସହିତ ଥିଲେ। ଏହି ଅଭିଜ୍ଞ ଭାରତୀୟ ଖେଳାଳି ଡେଥ୍ ଓଭରରେ ବୋଲିଂ କରିପାରିବେ ଏବଂ ନିମ୍ନ କ୍ରମରେ ମଧ୍ୟ ବ୍ୟାଟିଂ କରିପାରିବେ। ଚେନ୍ନାଇ ଦଳ ଶାର୍ଦ୍ଦୁଲଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାରେ ବିଡିଂ କରିବା ସମ୍ଭାବନା ରହିଛି ।

ଅମ୍ବାତି ରାୟୁଡୁଙ୍କୁ ସ୍ଥାନରେ ଦଳ ଜଣେ ଅଭିଜ୍ଞ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେବାକୁ ମଧ୍ୟ ବିଚାର କରିବ ‌‌। ଏଭଳି ସ୍ଥିତିରେ ମନୀଷ ପାଣ୍ଡେ ଭଲ ବିକଳ୍ପ ହେବେ। ନିଲାମ ତାଲିକାରେ ଅଭିଜ୍ଞ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା କମ୍। ଯଦି ଦଳ ଦ୍ରୁତ ବୋଲିଂ ବିଭାଗକୁ ମଜବୁତ କରିବାକୁ ଚାହୁଁଛି, ତେବେ ଜୋସ୍ ହାଜଲେଉଡ୍ ଜଣେ ଉତ୍ତମ ବିକଳ୍ପ ହୋଇପାରିବେ ।

୨. ଦିଲ୍ଲୀ କ୍ୟାପିଟାଲ୍ସ: ଉପଲବ୍ଧ ରାଶି ୨୮.୯୫ କୋଟି

ସମ୍ଭାବ୍ୟ ଖେଳାଳି: ପ୍ରିୟଙ୍କା ଆର୍ଯ୍ୟ, ହର୍ଷଲ ପଟେଲ, ଶାର୍ଦ୍ଦୁଲ ଠାକୁର, ଜୋସ ଇଂଲିସ୍, ୱାନିନ୍ଦୁ ହସରଙ୍ଗା ।

ଦିଲ୍ଲୀ କ୍ୟାପିଟାଲ୍ସର ସବୁଠାରୁ ଦୁର୍ବଳ ଲିଙ୍କ୍ ହେଉଛି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଅଭାବ | ତେବେ ଦଳ ସୟଦ ମୁସ୍ତାକ ଅଲି ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦିଲ୍ଲୀର ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରିୟଙ୍କା ଆର୍ଯ୍ୟଙ୍କ ପାଇଁ ବିଡିଂ କରିପାରେ। ଫ୍ରାଞ୍ଚାଇଜ୍ ସମୀର ରିଜଭି ଏବଂ ସ୍ଵସ୍ତିକ ଚିକ୍କାରାଙ୍କ ଉପରେ ମଧ୍ୟ ନଜର ରଖିବ। ଏହି ଦୁଇ ଖେଳାଳି ୟୁପି ପ୍ରିମିୟର ଲିଗରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସର ହୋମ ଗ୍ରାଉଣ୍ଡ ଫିରୋଜ ଶାହ କୋଟଲା ପିଚ୍‌ରେ ହର୍ଷଲ ପଟେଲ ଏବଂ ୱାନିନ୍ଦୁ ହସରାଙ୍ଗାଙ୍କ ଭଳି ବୋଲର ପ୍ରଭାବୀ ହୋଇପାରନ୍ତି।

୩. ଗୁଜରାଟ ଟାଇଟନ୍ସ: ବଳକା ରାଶି ୩୮.୧୫ କୋଟି

ସମ୍ଭାବ୍ୟ ଖେଳାଳି: ଶାର୍ଦ୍ଦୁଲ ଠାକୁର, ରାଚିନ୍ ରବିନ୍ଦ୍ର, ଡାରିଲ ମିଚେଲ, ଆଜମତୁଲ୍ଲା ଓମାରଜାଇ ।

ଦଳର ପ୍ରଶଂସକମାନେ ମଧ୍ୟ ସହମତ ହେବେ ଯେ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବିକଳ୍ପ ଖୋଜିବା କଷ୍ଟକର। ଶାର୍ଦୁଲ ଠାକୁର ସେହି ସ୍ଥାନ ସୀମିତ ପରିମାଣରେ ପୂରଣ କରିପାରିବେ | ରାଚିନ୍ ରବିନ୍ଦ୍ର ଏକ ବିକଳ୍ପ ହୋଇପାରନ୍ତି କିନ୍ତୁ ରିଦ୍ଧିମାନ ସାହା, ଶୁଭମାନ ଗିଲ୍ ଏବଂ ବି.ସାଇ ସୁଦର୍ଶନ ବ୍ୟାଟିଂ କ୍ରମରେ ପ୍ରଥମ ତିନୋଟି ସ୍ଥାନ ପାଇବା ଥୟ।

୪.କୋଲକାତା ନାଇଟ୍ ରାଇଡର୍ସ (କେକେଆର୍): ବଳକା ରାଶି ୩୨.୭୦ କୋଟି

ସମ୍ଭାବ୍ୟ ଖେଳାଳି: ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ରାଚିନ୍ ରବିନ୍ଦ୍ର, ହର୍ଷଲ ପଟେଲ |

କେକେଆର୍ ଭଲ ଦ୍ରୁତ ବୋଲର ସନ୍ଧାନରେ ରହିଛି | ଏଥିପାଇଁ ଫ୍ରାଞ୍ଚାଇଜ୍ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ କିମ୍ବା ଜୋସ୍ ହାଜଲେଉଡ୍ ଏବଂ ହର୍ଷଲ ପଟେଲଙ୍କ ପାଇଁ ବିଡ୍ କରିପାରେ।

୫. ଲକ୍ଷ୍ନୌ ସୁପରଜାଏଣ୍ଟସ୍: ବଳକା ରାଶି ୧୩.୧୫ କୋଟି

ସମ୍ଭାବ୍ୟ ଖେଳାଳି: ଜେରାଲ୍ଡ କୋଏଜୀ, ଦିଲଶାନ ମଧୁଶଙ୍କା, ଆଶୁତୋଷ ଶର୍ମା ।

ଲକ୍ଷ୍ନୌ ଦଳ ମାର୍କ ଉଡଙ୍କୁ ବୋଲିଂ ପାର୍ଟନର ଭାବେ ଆଉ ଜଣେ ଦକ୍ଷ ଦ୍ରୁତ ବୋଲିଂ ବିକଳ୍ପ ଉପରେ ବିଚାର କରିବ | ଷ୍ଟାର୍କ, ହାଜଲେଉଡ୍ ଏବଂ ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏଜି ଉପରେ ଦଳର ନଜର ରହିବ | ଅନକ୍ୟାପଡ୍ (ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିବା) ଖେଳାଳିଙ୍କ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ରେଳବାଇର ଆଶୁତୋଷ ଶର୍ମା ଅଛନ୍ତି, ଯିଏକି ସୟଦ ମୁସ୍ତାକ ଅଲି ଟି-୨୦ରେ ୧୨ଟି ବଲରେ ୫୦ ରନ୍ ସଂଗ୍ରହ କରିଥିଲେ।

୬. ମୁମ୍ବାଇ ଇଣ୍ଡିଆନ୍ସ: ଉପଲବ୍ଧ ରାଶି ୧୭.୭୫ କୋଟି

ସମ୍ଭାବ୍ୟ ଖେଳାଳି: ହସରଙ୍ଗା, ମାନବ ସୂତାର, ଆଶୁତୋଷ ଶର୍ମା, ଦର୍ଶନ ମିସାଲ ‌।

ଫ୍ରାଞ୍ଚାଇଜ୍ ପାଖରେ ବେଶି ଉପଲବ୍ଧ ରାଶି ନାହିଁ, କିନ୍ତୁ ଦଳ ଭାରତୀୟ ଖେଳାଳିଙ୍କ କ୍ଷେତ୍ରରେ ବାମହାତୀ ସ୍ପିନର ମାନବ ସୂତାରଙ୍କ ପାଇଁ ବିଡ୍ କରିପାରେ। ସୂତାର ମଧ୍ୟ ସେମାନଙ୍କ ଟାଲେଣ୍ଟ ଡେଭଲପମେଣ୍ଟ ଟିମର ଜଣେ ଅଂଶ ଥିଲେ ‌। ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତିି | ବିଦେଶୀ ସ୍ପିନରଙ୍କ ବିଷୟରେ କହିବାକୁ ଗଲେ ୱାନିନ୍ଦୁ ହସରଙ୍ଗା ମଧ୍ୟ ସେମାନଙ୍କ ଟାର୍ଗେଟ ହେବେ।

୭.ସନରାଇଜର୍ସ ହାଇଦ୍ରାବାଦ: ବଳକା ୩୪ କୋଟି

ସମ୍ଭାବ୍ୟ ଖେଳାଳି: ଦଳକୁ ପ୍ରତି ବିଭାଗରେ ଭଲ ଖେଳାଳି ଆବଶ୍ୟକ ।

ଯେହେତୁ ନିଲାମରେ ଅଧିକ ଭାରତୀୟ ଖେଳାଳି ନାହାଁନ୍ତି, ଶାର୍ଦ୍ଦୁଲ ଏବଂ ହର୍ଷଲ ଦଳର ଟାର୍ଗେଟ୍ ହୋଇପାରନ୍ତି । ଏହି ଦଳରେ ଅତି କମରେ ଜଣେ ଭଲ ବିଦେଶୀ ଦ୍ରୁତ ବୋଲର ଏବଂ ଜଣେ ଅଭିଜ୍ଞ ଟପ୍ ଅର୍ଡର ଭାରତୀୟ ବ୍ୟାଟ୍ସମ୍ୟାନ୍ ଆବଶ୍ୟକ।

୮. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି): ବଳକା ରାଶି ୨୩.୨୫ କୋଟି

ସମ୍ଭାବ୍ୟ ଖେଳାଳି: ଷ୍ଟାର୍କ, କମିନ୍ସ, ମାନବ ସୂତାର ।

ହର୍ଷଲ ପଟେଲଙ୍କୁ ବାହାର କରିବା ପରେ ଦଳ ବିଦେଶୀ ଦ୍ରୁତ ବୋଲରଙ୍କ ଉପରେ ନଜର ରଖିବ। ମୋ ବୋବାଟ୍ ଟିମ୍ ନିର୍ଦ୍ଦେଶକ ହେବା ପରେ ଦଳ କିଛି ବଡ଼ ଖେଳାଳିଙ୍କୁ ନେବା ପାଇଁ ଚାହିଁବ। କମିନ୍ସ, ହାଜଲେଉଡ୍ ଏବଂ ଷ୍ଟାର୍କଙ୍କ ବ୍ୟତୀତ ଇଂଲଣ୍ଡର ଗୁସ୍ ଆଟକିନ୍ସନ୍ ଏବଂ ରିସ୍ ଟୋପଲିଙ୍କ ପାଇଁ ବିଡ୍ କରିପାରେ ଦଳ ।

୯.ପଞ୍ଜାବ କିଙ୍ଗସ୍: ଉପଲବ୍ଧ ରାଶି ୨୯.୧୦ କୋଟି

ସମ୍ଭାବ୍ୟ ଖେଳାଳି: ଶାର୍ଦ୍ଦୁଲ, ହର୍ଷଲ, ରାଚିନ୍ ରବିନ୍ଦ୍ର ।

ବିଦେଶୀ ଖେଳାଳିଙ୍କ ପାଇଁ ପଞ୍ଜାବ କିଙ୍ଗ୍ସର ଦୁଇଟି ସ୍ଲଟ୍ ରହିଥିବା ବେଳେ ରାଚିନ୍ ରବିନ୍ଦ୍ର ଜଣେ ସମ୍ଭାବ୍ୟ ବିକଳ୍ପ ହୋଇପାରନ୍ତି। ଏହି ଦଳକୁ ଜଣେ ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ଆବଶ୍ୟକ । ଏଭଳି ସ୍ଥଳେ ହର୍ଷଲ, ଶାର୍ଦ୍ଦୁଲ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ ଦଳ ଜଣଙ୍କୁ ସାମିଲ କରିବାକୁ ଚାହିଁବ ।

୧୦. ରାଜସ୍ଥାନ ରୟାଲ୍ସ: ଉପଲବ୍ଧ ରାଶି ୧୪.୫୦ କୋଟି

ସମ୍ଭାବ୍ୟ ଖେଳାଳି: ସମୀର ରିଜଭି, ସ୍ଵସ୍ତିକ ଚିକ୍କାରା, ଆଶୁତୋଷ ଶର୍ମା, ଅଭିମନ୍ୟୁ ସିଂ, ସୌରଭ ଚୌହାନଙ୍କ ପରି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ।

ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଏହି ଫ୍ରାଞ୍ଚାଇଜ୍ ଅନେକ ସମୟରେ ଭରସା ପ୍ରକଟ କରିଛି। ସୟଦ ମୁସ୍ତାକ ଅଲି ଟି-୨୦, ଟିଏନପିଏଲ୍, ୟୁପି ପ୍ରିମିୟର ଲିଗରେ ଦମ୍ ଦେଖାଇଥିବା ଖେଳାଳିଙ୍କ ଉପରେ ଦଳ ନଜର ରଖିବ।