ଆଜିଠୁ ଆଇପିଏଲ୍: ପ୍ରଥମ ମ୍ୟାଚରେ ଧୋନି-ପାଣ୍ଡ୍ୟା ମୁହାଁମୁହିଁ | News Room Odisha

ଆଜିଠୁ ଆଇପିଏଲ୍: ପ୍ରଥମ ମ୍ୟାଚରେ ଧୋନି-ପାଣ୍ଡ୍ୟା ମୁହାଁମୁହିଁ

ଅହମ୍ମଦାବାଦ: ଆଇପିଏଲର ଷୋଡ଼ଶ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚରୁ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ । ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ନିଜ ପ୍ରଥମ ପଦାର୍ପଣରେ ଚାମ୍ପିଅନ୍ ହୋଇଥିବା ଗୁଜରାଟ ଟାଇଟାନ୍ସ ଗତ ସଂସ୍କରଣର ମ୍ୟାଜିକ ଜାରି ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

ଧୋନି ତାଙ୍କ ଗୁରୁ ବୋଲି ପାଣ୍ଡ୍ୟା ଅନେକ ଥର କହିଛନ୍ତି । ଏବଂ ଗତ ସିଜନରେ ଶିଷ୍ୟ ପାଣ୍ଡ୍ୟାଙ୍କ ଦଳ ଗୁରୁ ଧୋନିଙ୍କ ଦଳକୁ ଦୁଇଥର ପରାସ୍ତ କରିବାରେ ସଫଳ ହୋଇଥିଲା । ଟାଇଟନ୍ସ ପାଇଁ ଭଲ ଖବର ହେଲା ଶୁଭମାନ ଗିଲ୍ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ରସିଦ ଖାନଙ୍କ ଚମକ ମଧ୍ୟ ଫିକା ପଡ଼ିନାହିଁ । ପାଣ୍ଡ୍ୟା ନିଜେ ନିଜ ଫିଟନେସ ଉପରେ କଠିନ ପରିଶ୍ରମ କରିଛନ୍ତି । ଗତ ଆଇପିଏଲରେ ଆଘାତରୁ ଫେରିବା ପରେ ଉଭୟ ବଲ ଏବଂ ବ୍ୟାଟ୍ ସହ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର ।

ଏହି ମ୍ୟାଚରେ ଦଳ ଅଭିଜ୍ଞ ଡେଭିଡ ମିଲରଙ୍କୁ ହରାଇବ । କିନ୍ତୁ ରାହୁଲ ତେଓ୍ବାତିଆ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସେ ମିଲରଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ଚେଷ୍ଟା କରିବେ | ନ୍ୟୁଜିଲ୍ୟାଣ୍ଡର ଭେଟେରାନ କେନ୍ ୱିଲିୟମସନ ମଧ୍ୟ ଏହି ଦଳରେ ଅଛନ୍ତି। ଯଦିଓ ତାଙ୍କୁ ଏହି ଫର୍ମାଟରେ ଅତ୍ୟନ୍ତ ବିପଜ୍ଜନକ ବିବେଚନା କରାଯାଏ ନାହିଁ, ତେବେ କମ୍ ସ୍କୋରିଂ ମ୍ୟାଚରେ ସେ ଦଳ ପାଇଁ ସଙ୍କଟମୋଚକ ସାବ୍ୟସ୍ତ ହୋଇପାରନ୍ତି |

ଅନ୍ୟପକ୍ଷରେ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଗତ ସିଜନରେ ବିପର୍ଯ୍ୟୟର ସାମ୍ନା କରିଥିଲା । ​​ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଧୋନିଙ୍କୁ ୪୨ ବର୍ଷ ବୟସ । କିନ୍ତୁ ଅଧିନାୟକତ୍ୱରେ ତାଙ୍କର କେହି ସମକକ୍ଷ ହୋଇପାରିବେନି। ଗତ ସିଜନରେ ମଧ୍ୟ ତାଙ୍କର ରଣନୀତି ପ୍ରଭାବଶାଳୀ ଥିଲା, କିନ୍ତୁ ସେଗୁଡିକର କାର୍ଯ୍ୟକାରିତାରେ ଅଭାବ ରହିଯାଇଥିଲା |

ଆଇପିଏଲର ୧୬ତମ ସିଜନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ | ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଯୋଗୁଁ ମ୍ୟାଚରେ ୧୧ ପରିବର୍ତ୍ତେ ୧୨ ଖେଳାଳି ଖେଳିବେ |

ଏହି ସିଜନରେ ମୋଟ ୫୨ଟି ରାଉଣ୍ଡ ରବିନ ମ୍ୟାଚ୍ ଖେଳାଯିବ ।ସିଜନର ପ୍ରଥମ ‘ଡବଲ୍ ହେଡର୍’ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍)ରେ ଏପ୍ରିଲ୍ ୧ରେ ପଞ୍ଜାବ କିଙ୍ଗ୍ସର ସାମ୍ନା ମୋହାଲିରେ କୋଲକାତା ନାଇଟ୍ ରାଇଡର୍ସ ସହ ହେବ । ଲକ୍ଷ୍ନୌରେ ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ।

‘ଡବଲ୍ ହେଡର୍’ ପ୍ରତି ଶନିବାର ଏବଂ ରବିବାର ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସିଙ୍ଗଲ୍ ମ୍ୟାଚ୍ ଖେଳାଯିବ |

ଲିଗ୍ ପର୍ଯ୍ୟାୟ ଏପ୍ରିଲ ୨୧ରେ ବେଙ୍ଗାଲୁରୁରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଟାଇଟାନ୍ସ ମଧ୍ୟରେ ମୁକାବିଲା ସହ ସହିତ ଶେଷ ହେବ |

ଗତ ସଂସ୍କରଣରେ ମ୍ୟାଚ୍ ଗୁଡିକ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦରେ ଖେଳାଯାଇଥିଲା । କିନ୍ତୁ ୧୬ତମ ସିଜନରେ ‘ହୋମ୍-ଆଓ୍ବେ’ ଫର୍ମାଟ୍ ଫେରିବ । ଏହି ଫର୍ମାଟ୍ ଅନୁଯାୟୀ ସମସ୍ତ ଦଳ ଲିଗ୍ ପର୍ଯ୍ୟାୟରେ ୭ଟି ଘରୋଇ ମ୍ୟାଚ୍ ଖେଳିବେ ଏବଂ ଅବଶିଷ୍ଟ ୭ ମ୍ୟାଚ୍ ବିପକ୍ଷ ଟିମର ଗ୍ରାଉଣ୍ଡରେ ଖେଳିବେ ।
ବିସିସିଆଇ ସୂଚନା ଅନୁଯାୟୀ, ୫୨ ଦିନରେ ୧୨ଟି ଭେନ୍ୟୁରେ ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ |

ଆଇପିଏଲ୍ ୨୦୨୩ରେ ୧୮ଟି ‘ଡବଲ୍ ହେଡର୍’ ହେବ । ଦିନ ମ୍ୟାଚ୍ ଅପରାହ୍ନ ୩.୩୦ ରୁ ଏବଂ ସନ୍ଧ୍ୟା ମ୍ୟାଚ୍ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ |