ଆଜି ଖେଳାଯିବ ଆଇପିଏଲ୍ ଫାଇନାଲ

ଅହମ୍ମଦାବାଦ: ପ୍ରବଳ ବର୍ଷା ଯୋଗୁଁ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ ରବିବାର ଆଇପିଏଲ୍ ଫାଇନାଲ ସମ୍ଭବ ହୋଇପାରିନଥିଲା। ଏହି ଟାଇଟଲ ଲଢ଼େଇ ଆଜି ଖେଳାଯିବ ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ରୋମାଞ୍ଚକ ଫାଇନାଲ ପାଇଁ ସବୁ ପ୍ରସ୍ତୁତି ସରିଥିଲା । ହେଲେ ଟସ୍ ପଡ଼ିବା ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଏହା ଖେଳାଳି, ଦର୍ଶକ ଓ ଆୟୋଜକଙ୍କୁ ନିରାଶ କରିଥିଲା । ପ୍ରବଳ ବର୍ଷା ଯୋଗୁଁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ପିଚ୍ ଓ ଏହାର ଦୁଇ ପାଶ୍ୱର୍ରେ ଅତିରିକ୍ତ ଦୁଇଟି କଭର ଘୋଡ଼ାଇବାକୁ ପଡ଼ିଥିଲା । ଏହାଛଡ଼ା ଦ୍ରୁତ ବୋଲରଙ୍କ ରନ୍ ଅପକୁ ମଧ୍ୟ କଭର ଦ୍ୱାରା ଢ଼ଙ୍କା ଯାଇଥିଲା।

ବର୍ଷା ସହ ବିଜୁଳି ମାରିବା ଯୋଗୁଁ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମାନଙ୍କୁ ମଧ୍ୟ ସମସ୍ୟା ହୋଇଥିଲା । ସେମାନେ ନିରାପଦ ଆଶ୍ରୟ ଖୋଜିବାକୁ ଲାଗିଥିଲେ । କଭର ଢ଼ଙ୍କା ଯାଇନଥିବା ପଡ଼ିଆର କିଛି ସ୍ଥାନରେ ପାଣି ଜମି ଯାଇଥିଲା।

ଆଇପିଏଲ୍ ନିୟମ ଅନୁଯାୟୀ, ରାତି ୧୨ଟା ୫୬ ପର୍ଯ୍ୟନ୍ତ କଟ୍ ଅଫ୍ ସମୟ ଥିଲା ଓ ମ୍ୟାଚକୁ ଇନିଂସ୍ ପିଛା ୫ ଓଭର କରାଯିବ ବୋଲି ଆଶା କରାଯାଉଥିଲା । ହେଲେ ପାଗରେ କୌଣସି ପରିବର୍ତ୍ତନ ନ ହେବାରୁ ରାତି ୧୦:୫୫ରେ ମ୍ୟାଚ୍ ରିଜର୍ଭ ଦିବସରେ ଖେଳାଯିବ ବୋଲି ଔପଚାରିକ ଘୋଷଣା କରାଯାଇଥିଲା ।

ରିଜର୍ଭ ଦିବସରେ ବି ଯଦି ଖେଳ ସମ୍ଭବ ନ ହୁଏ, ତେବେ ଲିଗ୍ ପର୍ଯ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଦଳ ବିଜୟୀ ହେବ । ଗୁଜରାଟ ଟାଇଟନ୍ସ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା ।

ଚେନ୍ନାଇ ସୁପରକିଙ୍ଗ୍‌ସ ପଞ୍ଚମ ଟାଇଟଲ ସହ ଏହାର ପ୍ରେରଣାଦାୟୀ ଅଧିନାୟକ ଏମ୍‌ଏସ୍ ଧୋନିଙ୍କୁ ବିଦାୟୀ ଉପହାରା ଦେବା ଲକ୍ଷ୍ୟରେ ରହିଛି । ହେଲେ ଚେନ୍ନାଇ ଆଗରେ ବଡ଼ କଣ୍ଟା ଭାବେ ରହିଛନ୍ତି ଗୁଜରାଟର ଯୁବ ଓପନର ଶୁଭମାନ ଗିଲ୍ । ସେ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଅଛନ୍ତି । ଏହି ସିଜନରେ ସେ ୩ଟି ଶତକ ହାସଲ କରିଥିବା ବେଳେ ୮୫୦ରୁ ଊର୍ଦ୍ଧ୍ୱ ରନ୍ କରିସାରିଛନ୍ତି । ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଟାଇଟଲ ବଜାୟ ରଖେ, ତେବେ ଏଭଳି କରିବାରେ କେବଳ ତୃତୀୟ ଦଳ ହେବ ।

Comments are closed.