ଆଜିଠାରୁ ୟୁଏଇରେ ଆଇପିଏଲ୍-୨୦୧୧ ର ଦ୍ୱିତୀୟ ପର୍ଯ୍ୟାୟ, ମୁମ୍ବାଇ ଇଣ୍ଡିଆନ୍ସ -ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

ଦୁବାଇ: ଆଇପିଏଲ୍-୨୦୧୧ ର ଦ୍ୱିତୀୟ ପର୍ଯ୍ୟାୟ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ସହ ଆରମ୍ଭ ହେବ | ଏହି ଟି-୨୦ ଲିଗ୍ ମାଧ୍ୟମରେ ଖେଳାଳିମାନେ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ୟୁଏଇର ପରିବେଶ ସହ ଅଭ୍ୟସ୍ତ ହେବାକୁ ସୁଯୋଗ ପାଇବେ |
ଭାରତରେ କୋଭିଡ-୧୯ ର ଦ୍ୱିତୀୟ ଲହରୀ ଏବଂ ଏକାଧିକ ଖେଳାଳି ଓ କୋଚିଂ ଷ୍ଟାଫ୍ ସଦସ୍ୟ କରୋନା ପଜିଟିଭ୍ ହେବା ଯୋଗୁଁ ମେ’ରେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା। ସେତେବେଳକୁ ଟୁର୍ନାମେଣ୍ଟର କେବଳ 29ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା | ୟୁଏଇରେ ସେଭଳି ସ୍ଥିତିର ପୁନରାବୃତ୍ତି ନ ହେବା ଚାହିଁବ ବିସିସିଆଇ ।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ସ୍ଥିର କରିବାରେ ବିସିସିଆଇକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳରେ କୋଭିଡ -୧୯ ମାମଲା ଚିହ୍ନଟ ଯୋଗୁଁ ବିସିସିଆଇର ମଧ୍ୟ ହୃଦ୍ ସ୍ପନ୍ଦନ ବଢ଼ିଯାଇଥିଲା, କିନ୍ତୁ ଶେଷରେ ଏହା ସେଭଳି ଚିନ୍ତାଜନକ ହୋଇନଥିଲା ଏବଂ ଆଇପିଏଲରେ ଖେଳିବାକୁ ଚାହୁଁଥିବା ଭାରତ ଏବଂ ଇଂଲଣ୍ଡର ଖେଳାଳି ନିରାପଦରେ ୟୁଏଇରେ ପହଞ୍ଚିଥିଲେ |

ଗତ ବର୍ଷ ପୂରା ଆଇପିଏଲ୍ ୟୁଏଇରେ ଖେଳାଯାଇଥିଲା ଏବଂ ସେତେବେଳେ କୌଣସି ପ୍ରକାର ଅସୁବିଧା ହୋଇନଥିଲା | ଏଥର ମଧ୍ୟ ଏଠାରେ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରିବାକୁ ବିସିସିଆଇ ଆଶାବାଦୀ | ୨୦୧୯ ଠାରୁ ପ୍ରଥମ ଥର ପାଇଁ ସୀମିତ ସଂଖ୍ୟକ ଦର୍ଶକ ମଧ୍ୟ ଆଇପିଏଲରେ ଉପସ୍ଥିତ ରହି ଟୁର୍ନାମେଣ୍ଟର ଉତ୍ସାହକୁ ବଢାଇବେ | ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଏପର୍ଯ୍ୟନ୍ତ ୩୧ ଥର ମୁକାବିଲା ହୋଇଛି। ଏଥିମଧ୍ୟରୁ ମୁମ୍ବାଇ ୧୯ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇ ୧୨ଟି ମ୍ୟାଚ ଜିତିଛି।

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯାଇଛି କିନ୍ତୁ ଆଇପିଏଲର ପ୍ରଦର୍ଶନକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ଅନ୍ୟ ଜଣେ ଖେଳାଳି ଶେଷ ମୁହୂର୍ତ୍ତରେ ମଧ୍ୟ ତାଙ୍କ ସ୍ଥାନ ନେଇପାରନ୍ତି | ଅକ୍ଟୋବର ୧୦ ପର୍ଯ୍ୟନ୍ତ ଆଇସିସି ଏଭଳି ପରିବର୍ତ୍ତନକୁ ଅନୁମତି ଦେଇଛି |

ବିଶ୍ୱକପ ପରେ ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟ୍ରଫି ଉଠାଇବାର ସ୍ୱପ୍ନ ପୂରଣ କରିବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସେ ପ୍ରଥମ ଆଇପିଏଲ ଟାଇଟଲ ବିଜୟୀ କରିବାକୁ ଚାହୁଁଛନ୍ତି।

ଗତ ବର୍ଷର ରନର୍ସ ଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ରହିଛି | ଦଳ ସମ୍ପ୍ରତି ପଏଣ୍ଟ ଟେବୁଲର ଶୀର୍ଷରେ ଅଛି | ଏହା ବ୍ୟତୀତ ଚେନ୍ନାଇ, ବାଙ୍ଗାଲୋର ଏବଂ ପାଞ୍ଚ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେଷ୍ଠ ଚାରିରେ ଅଛନ୍ତି।
ୟୁଏଇରେ ଆଇପିଏଲ ଚତୁର୍ଦ୍ଦଶ ସଂସ୍କରଣର ବଳକା ୩୧ଟି ମ୍ୟାଚ୍ ଖେଳାଯିବ । ଫଳରେ ଟୁର୍ନାମେଣ୍ଟ ସମୟରେ ପିଚ୍ ଭଲ ରହିବ | ଭାରତ ତୁଳନାରେ ୟୁଏଇ ପରିବେଶ ସାମାନ୍ୟ ଭିନ୍ନ ହେବ ଏବଂ ପିଚ୍ ଟିକେ ମନ୍ଥର ଖେଳିବ । ତେଣୁ ସମସ୍ତ ଦଳ ନୂଆ କରି ଅଭିଯାନ ଆରମ୍ଭ କରିବେ |

ଚେନ୍ନାଇ ଏବଂ ମୁମ୍ବାଇର ପ୍ରତିଦ୍ୱନ୍ଦ୍ୱିତା ସହିତ ରବିବାର ଆଇପିଏଲ୍ ଆରମ୍ଭ ହେବ। ମୁମ୍ବାଇ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ସାତୋଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିଛି । ଖରାପ ଆରମ୍ଭ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ |
ଗତ ବର୍ଷର ନିରାଶାଜନକ ପ୍ରଦର୍ଶନ ପରେ ଚେନ୍ନାଇ ଲୟକୁ ଫେରିଛି। ଏହି ସଂସ୍କରଣରେ ସାତୋଟି ମ୍ୟାଚରୁ ପାଞ୍ଚଟି ବିଜୟ ସହ ଦଳ ୧୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

Comments are closed.