ଆଇପିଏଲ୍ ସିଜନ ୧୩ : ସୁପରଓଭରରେ କିଙ୍ଗ୍‌ସ ଇଲେଭେନ ପଂଜାବକୁ ହରାଇଲା ଦିଲ୍ଲୀ କ୍ୟାପିଟାଲସ୍‌, ଆଜି ହାଇଦ୍ରାବାଦ ବନାମ ବେଙ୍ଗଳୁରୁ | News Room Odisha

ଆଇପିଏଲ୍ ସିଜନ ୧୩ : ସୁପରଓଭରରେ କିଙ୍ଗ୍‌ସ ଇଲେଭେନ ପଂଜାବକୁ ହରାଇଲା ଦିଲ୍ଲୀ କ୍ୟାପିଟାଲସ୍‌, ଆଜି ହାଇଦ୍ରାବାଦ ବନାମ ବେଙ୍ଗଳୁରୁ

ଦୁବାଇ – ଇଣ୍ଡିଆନ ପ୍ରିମିଅର ଲିଗ୍‌ର ଏକ ରୋମାଂଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗସ୍ ଇଲେଭେନ ପଂଜାବକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଆଇପିଏଲ ସିଜନ -୧୩ ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଟିମ୍ ସୁପର ଓଭରରେ ପଂଜାବକୁ ହରାଇଛି । ଦୁଇ ଟିମ୍ ମଧ୍ୟରେ ମ୍ୟାଚ୍ ‘ଟାଇ’ ରହିବା ଫଳରେ ସୁପର ଓଭର ଜରିଆରେ ନିର୍ଣ୍ଣୟ କରାଯାଇଥିଲା ଫଳାଫଳ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ ବିଜୟ ପାଇଁ ଆବଶ୍ୟକ ମାତ୍ର ୩ ରନର୍ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା ।

ପୂର୍ବରୁ ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାର୍କସ ଷ୍ଟୋଇନିସ ଅର୍ଦ୍ଦଶତକ ହାସଲ କରିଥିଲେ । ମାତ୍ର ୨୧ଟି ବଲରୁ ୫୩ ରନ୍ କରିଥିଲେ । ଜବାବରେ ମୟଙ୍କ ଅଗ୍ରୱାଲଙ୍କ ୮୯ ରନ୍ ବଳରେ ପଂଜାବ ଟିମ୍ ବିଜୟ ଆଡକୁ ଅଗ୍ରସର ହେଉଥିଲା ବେଳେ ଶେଷ ଓଭରରେ ସବୁ ଓଲଟପାଲଟ ହୋଇଯାଇଥିଲା । ଶେଷ ଓଭରର ଶେଷ ବଲରେ ବିଜୟ ପାଇଁ ପଂଜାବ ୧ ରନ୍ ଆବଶ୍ୟକ କରୁଥିବା ବେଳେ ଜର୍ଡାନ ଆଉଟ୍ ହୋଇଯିବା ଫଳରେ ମ୍ୟାଚ୍ ଟାଇ ରହିଥିଲା । ମାର୍କସ ଷ୍ଟୋଇନିସ୍ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଛନ୍ତି ।