ଦ୍ରୁତତମ ଦ୍ୱିଶତକ ସହ ଇଶାନ କିଶନଙ୍କ ବିଶ୍ବ ରେକର୍ଡ, ବାଂଲାଦେଶକୁ ୪୧୦ ରନର ଟାର୍ଗେଟ୍ | News Room Odisha

ଦ୍ରୁତତମ ଦ୍ୱିଶତକ ସହ ଇଶାନ କିଶନଙ୍କ ବିଶ୍ବ ରେକର୍ଡ, ବାଂଲାଦେଶକୁ ୪୧୦ ରନର ଟାର୍ଗେଟ୍

ଚଟୋଗ୍ରାମ୍: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇଶାନ୍ କିଶାନ୍ ଇତିହାସ ରଚିଛନ୍ତି । ଏହି ଯୁବ ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚରେ ବିସ୍ଫୋରକ ଦ୍ୱିଶତକ ସହ ରେକର୍ଡ ବୁକରେ ସ୍ଥାନ ପାଇଛନ୍ତି । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଇଶାନ କିଶନ ମାତ୍ର ୧୨୬ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଏହା ହେଉଛି ଦ୍ରୁତତମ ଦ୍ୱିଶତକ । ଏଥିସହ କିଶନ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗେଲ୍ ୧୩୮ ବଲରେ ଦ୍ୱିଶତକ କରିଥିଲେ।

କିଶନ ମାତ୍ର ୧୩୧ ବଲରେ ୨୪ ଟି ଚୌକା ଓ ୧୦ଟି ଛକା ସହାୟତାରେ ୨୧୦ ରନ କରିଥିଲେ | ସେ ୧୬୦.୩୧ ଷ୍ଟ୍ରାଇକ୍ ରେଟ୍ ସହ ରନ୍ ସଂଗ୍ରହ କରିଥିଲେ |

କିଶନଙ୍କ ଦ୍ୱିଶତକ ବ୍ୟତୀତ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିବା ବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ୍ ହରାଇ ୪୦୯ କରିଛି । ଅନ୍ତର୍ଜାତୀୟ ଦିନିକିଆରେ ଭାରତର ଏହା ଚତୁର୍ଥ ବୃହତ ସ୍କୋର୍ । ବାଂଲାଦେଶ ବିପକ୍ଷରେ ମଧ୍ୟ ଏହା ସର୍ବୋଚ୍ଚ ସ୍କୋର୍ ।

ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ କିଶନ ହେଉଛନ୍ତି ଭାରତର ଚତୁର୍ଥ ଓ ବିଶ୍ବର ସପ୍ତମ ବ୍ୟାଟ୍ସମ୍ୟାନ୍। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହେଓ୍ବାଗ୍ ଏବଂ ରୋହିତ ଶର୍ମା (୩ ଥର), କ୍ରିସ୍ ଗେଲ୍ , ମାର୍ଟିନ ଗପ୍ଟିଲ ଓ ଫଖର ଜମାନ୍ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି।

ଡବଲ୍ ସେଞ୍ଚୁରି ପୂରଣ କରିବା ପୂର୍ବରୁ ଇଶାନ୍ କିଶାନ୍ ମଧ୍ୟ ଦ୍ରୁତତମ ୧୫୦ ରନ୍ କରିବାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ । ସେ ୧୧୨ ବଲରେ ୧୫୦ ରନ୍ ପୂରଣ କରିଥିଲେ। ପୂର୍ବରୁ ଏହି ରେକର୍ଡ ସେହେଓ୍ବାଗଙ୍କ ନାମରେ ଥିଲା ।

କିଶାନଙ୍କ ସହ ବିରାଟ କୋହଲି ମଧ୍ୟ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି । କୋହଲି ୯୧ ବଲରେ ୧୧ଟି ଚୌକା ଓ ୨ଟି ଛକା ସହ ୧୧୩ ରନ୍ କରିଥିଲେ । ଏହି ଫର୍ମାଟରେ କୋହଲିଙ୍କ ଏହା ୪୪ତମ ଶତକ ।