ନ୍ୟୁଜିଲାଣ୍ଡରେ ଆତଙ୍କୀ ଆକ୍ରମଣ, ଛୁରୀରେ ୬ ଲୋକଙ୍କୁ ଆକ୍ରମଣ କରିବା ପରେ ପୋଲିସ ଗୁଳିରେ ଆଇଏସ୍ ଆତଙ୍କୀ ନିହତ

ଅକଲ୍ୟାଣ୍ଡ: ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡର କାଉଣ୍ଟଡାଉନ୍ ସୁପର ମାର୍କେଟରେ ଜଣେ ବ୍ୟକ୍ତି ଛୁରୀରେ ଲୋକଙ୍କୁ ଆକ୍ରମଣ କରିଛି । ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପୋଲିସ ଗୁଳିରେ ଘଟଣାସ୍ଥଳରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଏହି ଘଟଣାକୁ ନ୍ୟୁ ଲିନ ସହରରେ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣକାରୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି କାଣ୍ଡ ଘଟାଇଥିଲା। ଏହାପୂର୍ବରୁ ପୋଲିସ ଅଧିକାରୀମାନେ ଏହାକୁ ଏକ ଅନିୟମିତ ଆକ୍ରମଣ ବୋଲି କହିଥିଲେ। ପୋଲିସ ଏହାକୁ ଆତଙ୍କବାଦୀ ଘଟଣା ବୋଲି ଗ୍ରହଣ କରିବାକୁ ମନା କରିଦେଇଥିଲା।

ଆକ୍ରମଣକାରୀଙ୍କୁ ଶ୍ରୀଲଙ୍କାର ନାଗରିକ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ କହିଛନ୍ତି ଯେ ସେ ୨୦୧୧ରେ ନ୍ୟୁଜିଲାଣ୍ଡ ଆସିଥିଲା। ଘଟଣାଟି ଶୁକ୍ରବାର ଅପରାହ୍ନ ୨:୪୦ ରେ ଘଟିଥିଲା। ତେବେ ପୋଲିସ ଅଧିକାରୀମାନେ ମିନିଟକ ମଧ୍ୟରେ ଆକ୍ରମଣକାରୀକୁ ନିପାତ କରିଥିଲେ।

ସେଣ୍ଟ ଜନ୍ ଆମ୍ବୁଲାନ୍ସ ସେବା କହିଛି ଯେ ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆକ୍ରମଣକାରୀ ମଲ୍ ଭିତରକୁ ଛୁରୀ ଦେଖାଇ ଆସି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। କରୋନା ବିପଜ୍ଜନକ ଡେଲଟା ଭାରିଆଣ୍ଟ ଯୋଗୁଁ ବର୍ତ୍ତମାନ ଅକଲ୍ୟାଣ୍ଡରେ ଲକଡାଉନ୍ ବଳବତ୍ତର ରହିଛି। ଏହି କାରଣରୁ ଏଠାରେ ଅନେକ ଲୋକ ନଥିଲେ |

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ, ନ୍ୟୁଜିଲ୍ୟାଣ୍ଡର ଅଲ-ନୁର ଏବଂ ଲିନଉଡ୍ ମସଜିଦରେ ପ୍ରାର୍ଥନା ସମୟରେ ଲୋକଙ୍କ ଉପରେ ଜଣେ ଅଷ୍ଟ୍ରଲୀୟ ନାଗରିକ ଆଖିବୁଜା ଗୁଳି ଚଳାଇଥିଲା। ଉକ୍ତ ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୮ ଜଣ ଭାରତୀୟ ମଧ୍ୟ ଥିଲେ। ଘଟଣାର ୨୧ ମିନିଟ ପରେ ପୋଲିସ ଆକ୍ରମଣକାରୀକୁ ଗିରଫ କରିଥିଲା।

Comments are closed.