ବାବରଙ୍କ ଦଳକୁ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କଟାକ୍ଷ, କହିଲେ ହାମାସ୍ ଆତଙ୍କବାଦୀକୁ ବିଜୟ ଉତ୍ସର୍ଗ କରିପାରିଲାନି ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଇସ୍ରାଏଲ ମଧ୍ୟ ପ୍ରତିକ୍ରିୟା ଦେଇଛି ।‌ ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର ଗିଲୋନ୍ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଥିବା ବେଳେ ପାକିସ୍ତାନ ଟିମ୍ ଓ ଏହାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ କଟାକ୍ଷ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ ଗିଲୋନ କହିଛନ୍ତି, ଏହି ପରାଜୟ ପରେ ପାକିସ୍ତାନ ଏହାର ବିଜୟକୁ ହାମାସକୁ ଉତ୍ସର୍ଗ କରିପାରିବ ନାହିଁ।

ନାଓର ଗିଲୋନ୍ ଲେଖିଛନ୍ତି – କ୍ରିକେଟ୍ ବିଶ୍ୱକପ ୨୦୨୩ରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ଜିତିଥିବାରୁ ଆମେ ଖୁସି । ପାକିସ୍ତାନ ଏହାର ବିଜୟ ହାମାସ୍ ଆତଙ୍କବାଦୀଙ୍କ ପାଇଁ ଉତ୍ସର୍ଗ କରିପାରି ନାହିଁ। ମ୍ୟାଚ୍ ସମୟରେ ଆମ ଭାରତୀୟ ବନ୍ଧୁମାନେ ପୋଷ୍ଟର ଦେଖାଇ ଇସ୍ରାଏଲ୍ ପ୍ରତି ସମର୍ଥନ ପ୍ରଦର୍ଶନ କରିଛନ୍ତି । ଆମକୁ ଏହା ବେଶ୍ ଭାବପ୍ରବଣ କରିଦେଇଛି ।

ପାକିସ୍ତାନ ଟିମକୁ ଇସ୍ରାଏଲ୍ ରାଷ୍ଟ୍ରଦୂତ ଏପରି କଟାକ୍ଷ କରିବା ପଛରେ ଏକ କାରଣ ରହିଛି ।‌ ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ସ୍କୋରକୁ ପିଛାକରି ବିଜୟ ହାସଲ କରିବା ପରେ ପାକିସ୍ତାନ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ଏକ ଟ୍ବିଟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରିଜୱାନ ଅପରାଜିତ ୧୩୧ ରନର ଅପରାଜିତ ଇନିଂସ ଖେଳି ନିଜ ଦଳର ବିଜୟରେ ନାୟକ ସାଜିଥିଲେ । ଏହି ମ୍ୟାଚ୍ ବିଜୟୀ ଇନିଂସ ପରେ ରିଜୱାନ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ କହିଥିଲେ – ଏହି ବିଜୟ ଗାଜାର ଆମ ଭାଇ ଓ ଭଉଣୀମାନଙ୍କ ପାଇଁ ଥିଲା ।

ବିଶ୍ବକପ ସହ ଏଭଳି ରାଜନୈତିକ ବିବାଦକୁ ଯୋଡ଼ିବା ନେଇ ରିଜଓ୍ବାନ ସମାଲୋଚନାର ପାତ୍ର ପାଲଟିଥିଲେ।

ସମ୍ପ୍ରତି ଇସ୍ରାଏଲ୍-ହାମାସ୍ ମଧ୍ୟରେ ଭୟଙ୍କର ଲଢ଼େଇ ଚାଲିଛି । ଏହି ଯୁଦ୍ଧରେ ଏଯାବତ୍ ୩୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.