ହାମାସର ଘନଘନ ରକେଟ୍ ମାଡ଼ ପରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଇସ୍ରାଏଲ | News Room Odisha

ହାମାସର ଘନଘନ ରକେଟ୍ ମାଡ଼ ପରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଇସ୍ରାଏଲ

ଜେରୁଜେଲମ: ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମାସ୍ ଶନିବାର ସକାଳେ ଇସ୍ରାଏଲ ଉପରକୁ ଘନଘନ ରକେଟ୍ ମାଡ଼ କରିଛି । ନିକଟ ଅତୀତରେ ଇସ୍ରାଏଲ ଉପରେ ଇସଲାମବାଦୀ ସଂଗଠନ ହାମାସର ଏହା ସବୁଠାରୁ ବଡ଼ ଆକ୍ରମଣ। ହାମାସ କେବଳ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରି ନାହିଁ ବରଂ ବହୁ ସଶସ୍ତ୍ର ଆତଙ୍କବାଦୀ ଇସ୍ରାଏଲରେ ପଶିଥିବା ଜଣାପଡ଼ିଛି । ହାମାସର ଏହି ଆକ୍ରମଣ ପରେ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛି ଇସ୍ରାଏଲ ।

ଇସ୍ରାଏଲ୍ କହିଛି ଯେ ହାମାସକୁ ଏଭଳି ଦୁଃସାହସ ମହଙ୍ଗା ପଡ଼ିବ। ରକେଟ୍ ଆକ୍ରମଣ ପରେ ଇସ୍ରାଏଲ ‘ଯୁଦ୍ଧ ସ୍ଥିତି’ ଘୋଷଣା କରିଥିବାବେଳେ ହାମାସର ଆକ୍ରମଣ ଜବାବରେ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ।

ଇସ୍ରାଏଲ ଆଡ଼କୁ ରକେଟ୍ ମାଡ଼ର ଶବ୍ଦରେ ଗାଜା ଆକାଶ ପ୍ରତିଧ୍ୱନିତ ହୋଇଥିବାବେଳେ ଇସ୍ରାଏଲର ଆଲର୍ଟ ସାଇରନ୍ ପ୍ରାୟ ୭୦ କିଲୋମିଟର ଉତ୍ତରରେ ଥିବା ଦେଶର ଅର୍ଥନୈତିକ ତଥା ସାଂସ୍କୃତିକ ରାଜଧାନୀ ତେଲ୍ ଅଭିଭରେ ମଧ୍ୟ ଶୁଣିବାକୁ ମିଳିଥିଲା । ହାମାସର ରକେଟ୍ ଆକ୍ରମଣରେ ଇସ୍ରାଏଲର ବହୁ କୋଠା ଧ୍ବଂସ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି ।

ଇସ୍ରାଏଲ ସେନା ସାଧାରଣତଃ ହାମାସ୍ ସନ୍ତ୍ରାସବାଦୀ ଗୋଷ୍ଠୀକୁ ରକେଟ୍ ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ୍ ଦ୍ବାରା ଦେଇଥାଏ । ତେବେ ଏହି ରକେଟ୍ ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାଁନ୍ତି, କିନ୍ତୁ ଇସ୍ରାଏଲ୍ ଏହି ଆକ୍ରମଣ ପାଇଁ ଦାୟୀ କରିଛି।