ତେଲ୍ ଆଭିଭ୍: ହାମାସର ଅତର୍କିତ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିବା ଇସ୍ରାଏଲ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଇସ୍ରାଏଲ ସେନା ଗାଜାକୁ ଚାରିଆଡ଼ୁ ଘେରାବନ୍ଦୀ କରିଦେଇଛନ୍ତି । ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା ପରେ ଏବେ ଗାଜାକୁ ଔଷଧ, ପାଣି, ଖାଦ୍ୟ, ଇନ୍ଧନ ଆଦି ଜରୁରୀକାଳୀନ ସାମଗ୍ରୀ ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ୍।
ଇସ୍ରାଏଲର ଏଭଳି ପଦକ୍ଷେପ ଦ୍ବାରା ଗାଜା ଷ୍ଟ୍ରିପରେ ମାନବିକ ସଙ୍କଟ ଦେଖାଦେବା ନେଇ ଆଶଙ୍କା ରହିଛି।
ସେପଟେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜା ସମ୍ପ୍ରତି ଏକ ଧ୍ବଂସସ୍ତୂପ ପାଲଟିଛି । ଇସ୍ରାଏଲ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି ।
ଇସ୍ରାଏଲ୍ ଆକ୍ରମଣରେ ପାଲେଷ୍ଟାଇନ ଟାୱାର ଠାରୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ବହୁତଳ ଆବାସିକ କୋଠା ମାଟିରେ ମିଶିଛି | ଏହି ଆକ୍ରମଣରେ ଗାଜାରେ ୭୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ସମ୍ପ୍ରତି ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଉଭୟ ପାର୍ଶ୍ଵରେ ୧୫୦୦ ଲୋକଙ୍କ ମୃତ୍ୟୁ ହେଲାଣି ।
ଗାଜା ଷ୍ଟ୍ରିପର ଜନସଂଖ୍ୟା ପ୍ରାୟ ୨୩ ଲକ୍ଷ । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଇସ୍ରାଏଲ ସହ ବହୁବର୍ଷ ବିବାଦ କାରଣରୁ ମାନବିକ ସହାୟତା ଉପରେ ନିର୍ଭରଶୀଳ |
ଗାଜା ଉପରେ ସମ୍ପ୍ରତି ହାମାସର ନିୟନ୍ତ୍ରଣ ରହିଥିଲେ ମଧ୍ୟ ଏହାର ଆକାଶ ମାର୍ଗ ଏବଂ ସମୁଦ୍ର ଉପକୂଳ ଇସ୍ରାଏଲ୍ ଅଧୀନରେ । ତେଣୁ ଗାଜାକୁ କ’ଣ ଆସିବ ଏବଂ ଏଠାରୁ କ’ଣ ବାହାରକୁ ଯିବ ତାହାଓ ଇସ୍ରାଏଲ ହିଁ ସ୍ଥିର କରିଥାଏ |