ନୂଆବର୍ଷରେ ଇସ୍ରୋର ନୂଆ ମିଶନ: ବ୍ଲାକହୋଲ ରହସ୍ୟର ଅଧ୍ୟୟନ ପାଇଁ ‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନୂଆ ମିଶନର ଶୁଭାରମ୍ଭ କରିଛି । ୨୦୨୪ ବର୍ଷର ପ୍ରଥମ ଦିନରେ ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ (ଏକ୍ସପୋସାଟ୍)ର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ ଯାନ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଏହି ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ବ୍ଲାକ୍ ହୋଲ୍, ଗ୍ୟାଲେକ୍ସି ଏବଂ ସୁପରନୋଭା ରେଡିଏସନ୍ ଆଦି ରହସ୍ୟର ଅଧ୍ୟୟନ କରିବ | ଏହି ସଫଳ‌ ଉତକ୍ଷେପଣ ପରେ ଏଭଳି ଅଭିଯାନ କ୍ଷେତ୍ରରେ ଭାରତ ବିଶ୍ବର ଦ୍ୱିତୀୟ ଦେଶ | ଏହି ଉପଗ୍ରହ ସହିତ ଅନ୍ୟ ୧୦ଟି ପେଲୋଡ୍ ମଧ୍ୟ ଲଞ୍ଚ କରାଯାଇଛି |

ଏହି ଉପଗ୍ରହର ଜୀବନକାଳ ପାଞ୍ଚ ବର୍ଷ ହେବ | ଅର୍ଥାତ୍ ପାଞ୍ଚ ବର୍ଷ ଏକ୍ସପୋସାଟ୍ ବ୍ଲାକହୋଲ ସମ୍ପର୍କିତ ତଥ୍ୟ ଯୋଗାଇବ। ପିଏସ୍ଏଲଭି-ସି୫୮ ରକେଟ୍ ଦ୍ବାରା ଆଜି ସକାଳ ୯:୧୦ରେ ଏକ୍ସପୋସାଟ୍ ଉପଗ୍ରହର ଉତକ୍ଷେପଣ କରାଯାଇଥିଲା | ଏହା ହେଉଛି ପିଏସ୍ଏଲଭି ସିରିଜର ୬୦ତମ ଅଭିଯାନ |

ଗତବର୍ଷ ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ ମିଶନର ସଫଳତା ପରେ ସଦ୍ୟତମ ଏକ୍ସପୋସାଟ୍ ଲଞ୍ଚ ଇସ୍ରୋର ଆଉ ଏକ ବଡ଼ ମାଇଲଖୁଣ୍ଟ ।

Comments are closed.