ପ୍ରଥମ ଟେଷ୍ଟ: ଆୟର, ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୨୫୮/୪

କାନପୁର: କାନପୁରରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଚାରି ୱିକେଟ୍ ହରାଇ ୨୫୮ ରନ୍ କରିଛି। । ଷ୍ଟମ୍ପ ଅପସାରଣ ବେଳକୁ ନିଜର ଡେବ୍ୟୁ ଟେଷ୍ଟ ଖେଳୁଥିବା ଶ୍ରେୟସ୍ ଆୟର ୭୫ ଏବଂ ରବିନ୍ଦ୍ର ଜାଡେଜା ୫୦ ରନ୍ କରି ଅପରାଜିତ ରହିଛନ୍ତି | ଦ୍ରୁତ ବୋଲର କାଇଲ୍ ଜାମିସନ୍ ନ୍ୟୁଜିଲାଣ୍ଡ ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ‌। ସେ ୪୭ ରନ୍ ଦେଇ ତିନୋଟି ୱିକେଟ୍ ନେଇଛନ୍ତି।

ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଭାରତୀୟ ଦଳକୁ ୨୧ ରନରେ ପ୍ରଥମ ଝଟକା ଲାଗିଥିଲା । ଓପନର୍ ମୟଙ୍କ ଅଗ୍ରୱାଲ ୨୮ ବଲରେ ଦୁଇଟି ଚୌକା ସହାୟତାରେ ୧୩ ରନ୍ କରି ଆଉଟ୍ ହୋଇଥିଲେ। ଜାମିସନ୍ ତାଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ | ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇଥିଲା।

ଏହା ପରେ ଶୁଭମାନ ଗିଲ ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୧ ରନ୍ ଭାଗିଦାରୀ ହୋଇଥିଲା। ତେବେ ଦଳୀୟ ସ୍କୋର ୮୨ ରନ୍ ହୋଇଥିବା ବେଳେ ଗିଲ୍ ବ୍ୟକ୍ତିଗତ ୫୨ ରନ୍ କରି ଆଉଟ୍ ହୋଇଥିଲେ। କିଛି ସମୟ ପରେ ପୂଜାରା ମଧ୍ୟ ୮୮ ବଲରେ ୨୬ ରନ୍ କରିବା ପରେ ପାଭିଲିୟନକୁ ଫେରିଥିଲେ।

୧୦୬ ରନରେ ତିନୋଟି ୱିକେଟ୍ ହରାଇବା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ କ୍ରିଜକୁ ଓହ୍ଲାଇଥିଲେ ଏବଂ କିଛି ଚମତ୍କାର ସଟ୍ ଖେଳିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେ ଭଲ ଷ୍ଟାର୍ଟକୁ ବଡ଼ ବଡ଼ ସ୍କୋରରେ ରୂପାନ୍ତର କରିପାରିନଥିଲେ । ରାହାଣେ ମାତ୍ର ୩୫ ରନ୍ କରିବା ପରେ ଜାମିସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ । ଭାରତ ୧୪୬ ରନରେ ଚାରିଟି ୱିକେଟ୍ ହରାଇ ହଠାତ ସଙ୍କଟରେ ପଡ଼ିଥିଲା । ଏଭଳି ସ୍ଥିତିରେ ଡେବୁଟାଣ୍ଟ ଶ୍ରେୟସ୍ ଆୟର ଏକ ଚମତ୍କାର ଅର୍ଦ୍ଧଶତକ ସହ ଦଳକୁ ବିପଦରୁ ମୁକୁଳାଇଥିଲେ । ଆୟରଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।

ଆୟର ୭ଟି ଚୌକା ଏବଂ ଦୁଇଟି ଛକା ସହାୟତାରେ ୧୩୬ ବଲରୁ ୭୫ ରନରେ ବ୍ୟାଟିଂ କରୁଥିବା ବେଳେ ଜାଡେଜା ୧୦୦ଟି ବଲରେ ୫୦ ରନ୍ କରି ଅପରାଜିତ ଅଛନ୍ତି । ତାଙ୍କ ଇନିଂସରେ ଛଅଟି ଚୌକା ସାମିଲ ଅଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଜାମିସନ୍ ତିନୋଟି ଓ ଟିମ୍ ସାଉଦି ଗୋଟିଏ ୱିକେଟ୍ ନେଇଛନ୍ତି |

Comments are closed.