ମୋହାଲି ଟେଷ୍ଟ: ଜାଡେଜାଙ୍କ ବୃହତ ଶତକ, ୫୭୪/୮ରେ ପ୍ରଥମ ଇନିଂସ୍ ଘୋଷଣା କଲା ଭାରତ

ମୋହାଲି: ମୋହାଲି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ୫୭୪ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ ଘୋଷଣା କରିଛି। ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ରବିନ୍ଦ୍ର ଜାଡେଜା ଭାରତ ପାଇଁ ଅପରାଜିତ ୧୭୫ ରନ୍ କରିଥିଲେ। ଇନିଂସ ଘୋଷଣା ଯୋଗୁଁ ଜାଡେଜା ଦ୍ୱିଶତକ ପୂରଣ କରିପାରି ନଥିଲେ। କିନ୍ତୁ ଦଳର ସ୍ବାର୍ଥ ଦୃଷ୍ଟିରୁ ରଖି ଅଧିନାୟକ ରୋହିତ ଶର୍ମା ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ପାଇଁ ସୁରଙ୍ଗା ଲାକମଲ ୨ଟି ୱିକେଟ୍ ନେଇଥିଲେ।

ଶୁକ୍ରବାର ମ୍ୟାଚ୍‌ର ପ୍ରଥମ ଦିନରେ ରିଷଭ ପନ୍ତଙ୍କ ୯୬ ଇନିଂସ ବଳରେ ଭାରତ ୩୫୦ ରୁ ଅଧିକ ସ୍କୋର କରିଥିଲା। ମୟଙ୍କ ଅଗ୍ରୱାଲ ଏବଂ ରୋହିତ ପ୍ରଥମ ଇନିଂସରେ ଭାରତ ପାଇଁ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ଏହି ସମୟ ମଧ୍ୟରେ ମୟଙ୍କ ୩୩ ରନ୍ ଏବଂ ରୋହିତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ହନୁମା ବିହାରୀ ଭଲ ବ୍ୟାଟିଂ କରୁଥିବାବେଳେ ୫୮ ରନ୍ ସଂଗ୍ରହ କରିଥିଲେ। ସେ ୫ ଚୌକା ମାରିଥିଲେ।

ପୂର୍ବତନ ଅଧିନାୟକ ବିରାଟ କୋହଲି ୪୫ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଏହା ହେଉଛି ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ | ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ୯୭ ବଲରୁ ୯୬ ରନ୍ ସଂଗ୍ରହ କରିଥିଲେ। ପନ୍ତଙ୍କ ଇନିଂସରେ ୯ ଚୌକା ଓ ୪ ଛକା ଅନ୍ତର୍ଭୁକ୍ତ ଥିଲା | ୨୭ ରନ୍ ସ୍କୋର କରିବା ପରେ ଶ୍ରେୟସ୍ ଆୟର ପ୍ୟାଭିଲିୟନ ଫେରିଥିଲେ ।

ମ୍ୟାଚ୍ର ଦ୍ୱିତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭଲ ବ୍ୟାଟିଂ କରିଥିଲେ। ସେ ଜାଡେଜାଙ୍କ ସହ ଏକ ଦୃଢ ଭାଗିଦାରୀ ଗଠନ କରିଥିଲେ | କିନ୍ତୁ ଏହା ପରେ ସେ ୬୧ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ। ଅଶ୍ୱିନ୍‌ଙ୍କ ଇନିଂସରେ ୮ ଚୌକା ସାମିଲ ହୋଇଥିଲା। ଦୁଇ ରନ୍ ସ୍କୋର କରିବା ପରେ ଜୟନ୍ତ ଯାଦବ ଆଉଟ୍ ହୋଇଥିଲେ। ଶେଷରେ, ମହମ୍ମଦ ଶାମି ୩ ଚୌକା ସହାୟତାରେ ୨୦ ରନରେ ଅପରାଜିତ ରହିଥିଲେ | ଅନ୍ୟପକ୍ଷରେ ଜାଡେଜା ୨୨୮ ବଲରୁ ଅପରାଜିତ ୧୭୫ ରନ୍ କରିଥିଲେ। ଜାଡେଜାଙ୍କ ଇନିଂସରେ ୧୭ ଚୌକା ଓ ୩ ଛକା ଅନ୍ତର୍ଭୁକ୍ତ ଥିଲା |

Comments are closed.