ବିସିସିଆଇ କେନ୍ଦ୍ରୀୟ ଚୁକ୍ତି: ଜାଡେଜାଙ୍କ ପ୍ରମୋସନ, ରାହୁଲ ଗ୍ରେଡ୍ ବି’କୁ ଖସିଲେ

ନୂଆଦିଲ୍ଲୀ: ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବୋଚ୍ଚ ଗ୍ରେଡ୍ ଏ + ରେ ସ୍ଥାନ ପାଇଥିବାବେଳେ ଅକ୍ଷର ପଟେଲଙ୍କ ଗ୍ରେଡ୍ ଏକୁ ପ୍ରମୋସନ ହୋଇଛି ।

ଏ + ଗ୍ରେଡରେ କେବଳ ଚାରି ଖେଳାଳି ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଜାଡେଜା ଅନ୍ୟତମ । ଜାଡେଜାଙ୍କ ସହ ଏହି ଗ୍ରେଡରେ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଆହତ ଦ୍ରୁତ ବୋଲର ଯଶପ୍ରୀତ ବୁମରା ରହିଛନ୍ତି । ଆଣ୍ଠୁ ଅସ୍ତ୍ରୋପଚାର ପରେ ପ୍ରାୟ ୬ ମାସର ବିରତି ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରୁ ଜାଡେଜା ଅନ୍ତର୍ଜାତୀୟ କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ । ବର୍ଡର-ଗାଭାସ୍କର ଟ୍ରଫିରେ ଯୁଗ୍ମ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ହୋଇଥିଲେ ୩୪ ବର୍ଷୀୟ ଜାଡେଜା।

ଖରାପ ପ୍ରଦର୍ଶନ ପରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଗ୍ରେଡ୍ ବିକୁ ଖସିଛନ୍ତି ।

ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଅଜିଙ୍କ୍ୟ ରାହାଣେ ଏବଂ ଇଶାନ୍ତ ଶର୍ମା ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇନାହାନ୍ତି । ଏହି ତିନି ଖେଳାଳିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଏକ ପ୍ରକାର ଶେଷ ହୋଇଯାଇଛି ‌। ବିସିସିଆଇ ଏ + (7 କୋଟି ଟଙ୍କା), ଏ (୫ କୋଟି ଟଙ୍କା), ବି (୩ କୋଟି) ଏବଂ ସି (୧ କୋଟି ଟଙ୍କା) ର ଚାରିଟି ଗ୍ରୁପରେ ୨୬ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତି ଦେଇଛି ।

ଏ ଗ୍ରେଡକୁ ପଦୋନ୍ନତି ପାଇବା ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଖବର । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତ ମଧ୍ୟ ପ୍ରଥମ ଥର ପାଇଁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ପାଇଛନ୍ତି । ତାଙ୍କୁ ଗ୍ରୁପ୍ ସିରେ ରଖାଯାଇଛି।

ଗତ ବର୍ଷ ଡିସେମ୍ବରରେ ଏକ ଭୟଙ୍କର କାର୍ ଦୁର୍ଘଟଣାରେ ଆହତ ପରେ ସୁସ୍ଥ ହେଉଥିବା ଷ୍ଟାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏ ଗ୍ରେଡରେ ରହିଛନ୍ତି । ଏହି ଗ୍ରେଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ମହମ୍ମଦ ଶାମି ମଧ୍ୟ ରହିଛନ୍ତି।

ଗ୍ରୁପ୍ ବିରେ ଚେତେଶ୍ୱର ପୂଜାରା, କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲଙ୍କ ସମେତ ୬ ଜଣ କ୍ରିକେଟର ସ୍ଥାନ ପାଇଛନ୍ତି।

ଭରତଙ୍କ ବ୍ୟତୀତ ଗ୍ରୁପ୍ ସିରେ ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ, ଦୀପକ ହୁଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ରହିଛନ୍ତି।

ସାଧାରଣତଃ ତିନୋଟି ଯାକ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କୁ ଏଲିଟ୍ ଏ + ବର୍ଗରେ ସ୍ଥାନ ମିଳିଥାଏ । ଅନ୍ୟପକ୍ଷରେ ‘ଏ’ ଗ୍ରେଡ୍ ସେହି କ୍ରିକେଟରଙ୍କୁ ନେଇ ଗଠିତ ଯେଉଁମାନେ ଟେଷ୍ଟ ଏବଂ ଦିନିକିଆ ପାଇଁ ବିଚାରଯୋଗ୍ୟ | ସୀମିତ ଓଭର କ୍ରିକେଟ୍ ପାଇଁ ବିବେଚିତ ଖେଳାଳିମାନେ ଗ୍ରୁପ୍ ବିରେ ଥିବାବେଳେ କେବଳ ଗୋଟିଏ ଫର୍ମାଟ୍ ପାଇଁ ବିବେଚିତ ହେଉଥିବା ଖେଳାଳିମାନଙ୍କୁ ଗ୍ରୁପ୍ ସିରେ ସାମିଲ କରାଯାଏ ।

Comments are closed.