ଏକା ଆସିଲେ ଯୁବତୀଙ୍କୁ ଜାମା ମସଜିଦରେ ପ୍ରବେଶ ମନା 

ନୂଆଦିଲ୍ଲୀ: ଦିଲ୍ଲୀର ଜାମା ମସଜିଦରେ ଏକୁଟିଆ ଆସୁଥିବା ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି ।

ମସଜିଦ ପ୍ରଶାସନ ପକ୍ଷରୁ ତିନୋଟି ପ୍ରବେଶ ପଥରେ ଏକ ନୋଟିସ ଲଗାଯାଇଛି । ଏଥିରେ ଲେଖା ଅଛି ଯେ ‘ଜାମା ମସଜିଦରେ ଏକୁଟିଆ କିମ୍ବା ଗ୍ରୁପ୍ ହୋଇ ଆସୁଥିବା ଯୁବତୀ ଓ ମହିଳାଙ୍କ ପ୍ରବେଶ ନିଷେଧ।’ ଅର୍ଥାତ୍ କୌଣସି ଯୁବତୀ କିମ୍ବା ମହିଳାଙ୍କ ସହିତ ଯଦି କେହି ପୁରୁଷ ନାହାଁନ୍ତି, ତେବେ ସେମାନେ ମସଜିଦକୁ ଯାଇପାରିବେ ନାହିଁ |

ଜାମା ମସଜିଦର ଏହି ବିଜ୍ଞପ୍ତି ପରେ ମସଜିଦରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ତୀବ୍ର ହୋଇଛି।

ଏହାକୁ ସମାଲୋଚନା କରି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଇମାମଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଜାମା ମସଜିଦର ଜନ ସମ୍ପର୍କ ଅଧିକାରୀ (ପିଆରଓ) ସାଇବୁଲ୍ଲା ଖାନ କହିଛନ୍ତି ଯେ ମହିଳାମାନଙ୍କୁ ବାରଣ କରାଯାଇ ନାହିଁ। ଯେଉଁ ଯୁବତୀ କିମ୍ବା ମହିଳା ଏକୁଟିଆ ଏଠାକୁ ଆସନ୍ତି, ପୁଅମାନଙ୍କୁ ସମୟ ଦିଅନ୍ତି ଓ ଏଠାକୁ ଆସିବା ପରେ ଭୁଲ୍ କାର୍ଯ୍ୟ କରନ୍ତି | ସେମାନେ ଏଠାରେ ଟିକଟକ୍ ଭିଡିଓ କରନ୍ତି | ଏହି ସବୁ କାମ ରୋକିବା ପାଇଁ ଏକୁଟିଆ ଆସୁଥିବା ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି ବୋଲି ସେ କହିଛନ୍ତି । ”

ସେ କହିଛନ୍ତି, “ଯଦି କୌଣସି ମହିଳା ଓ ଯୁବତୀ ନିଜ ପରିବାର ସହିତ ଆସନ୍ତି ତେବେ ସେମାନଙ୍କ ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ବିବାହିତ ଦମ୍ପତିଙ୍କୁ ମଧ୍ୟ କୌଣସି ବାରଣ ନାହିଁ । କିନ୍ତୁ ଏଠାକୁ ଆସି ଏହାକୁ ଏକ ମିଟିଂ ପଏଣ୍ଟ କରିବା, ଏକ ପାର୍କ ଭାବେ ବ୍ୟବହାର କରିବା ଓ ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିବା ଏବଂ ନାଚିବା ଭଳି କାର୍ଯ୍ୟ କୌଣସି ମସଜିଦ, ମନ୍ଦିର, ଗୁରୁଦ୍ୱାର ହେଉ ଅବା କୌଣସି ଧାର୍ମିକ ସ୍ଥଳରେ ଠିକ୍ ନୁହେଁ। ମସଜିଦ ପ୍ରାର୍ଥନା କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ କେବଳ ସେଥିପାଇଁ ହିଁ ବ୍ୟବହାର କରାଯିବା ଉଚିତ୍ |

Comments are closed.