ଅଢ଼େଇ ବର୍ଷ ପରେ ପୁଣି ଉଡ଼ାଣ ଭରିବ ଜେଟ୍ ଏୟାରୱେଜ୍, ମାର୍ଚ୍ଚ ସୁଦ୍ଧା ଆରମ୍ଭ କରିବ ଘରୋଇ ବିମାନସେବା | News Room Odisha

ଅଢ଼େଇ ବର୍ଷ ପରେ ପୁଣି ଉଡ଼ାଣ ଭରିବ ଜେଟ୍ ଏୟାରୱେଜ୍, ମାର୍ଚ୍ଚ ସୁଦ୍ଧା ଆରମ୍ଭ କରିବ ଘରୋଇ ବିମାନସେବା

ନୂଆଦିଲ୍ଲୀ: ରନୱେରୁ ଜେଟ୍ ଏୟାରୱେଜ୍ ର ବିମାନ ଗୁଡ଼ିକୁ ଖୁବ୍ ଶୀଘ୍ର ଉଡ଼ାଣ ଭରୁଥିବାର ଦେଖିବାକୁ ମିଳିବ। ଏହି ବିମାନ କମ୍ପାନୀ ଅନୁଯାୟୀ, ଜେଟ୍ ଏୟାରୱେଜ୍ ର ଘରୋଇ ବିମାନସେବା ୨୦୨୨ର ପ୍ରଥମ ଆର୍ଥିକ ତ୍ରୈମାସିକରୁ ଆରମ୍ଭ ହେବ | ଏହାର‌ ୬ ମାସ ପରେ କମ୍ପାନୀର ଅନ୍ତର୍ଜାତୀୟ ବିମାନସେବା ମଧ୍ୟ ଆରମ୍ଭ ହେବ | ଅବଶ୍ୟ ଆରମ୍ଭରୁ ଜେଟ୍ ଏୟାରୱେଜ୍ ର ଅନ୍ତର୍ଜାତୀୟ ବିମାନ ଚଳାଚଳ କେବଳ ସ୍ୱଳ୍ପ ଦୂରତା ବିଶିଷ୍ଟ ଦେଶ ଗୁଡ଼ିକରେ ସୀମିତ ରହିବ | ବିମାନ ଉଡ଼ାଣ ସ୍ଲଟ୍ ଏବଂ କର୍ତ୍ତୃପକ୍ଷଙ୍କ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି ବୋଲି ଜେଟ୍ ଏୟାରୱେଜ୍ ପକ୍ଷରୁ କୁହାଯାଇଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବିମାନ ଚଳାଚଳ ପାଇଁ ଏୟାର ଅପରେଟର ସାର୍ଟିଫିକେଟ୍ ପାଇବା ପ୍ରକ୍ରିୟା ମଧ୍ୟ ଚାଲିଛି।

ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜଲାନ ଲଣ୍ଡନ ସ୍ଥିତ ଜାଲାନ କର୍ଲାକ କନ୍ସୋର୍ଟିୟମର ଜଣେ ଅଗ୍ରଣୀ ସଦସ୍ୟ ଏବଂ ପ୍ରସ୍ତାବିତ ଜେଟ୍ ଏୟାରୱେଜର ଜଣେ ଅଣ-କାର୍ଯ୍ୟନିର୍ବାହୀ ସଦସ୍ୟ। ଜଲାନ କହିଛନ୍ତି ଯେ ଆମେ ତିନି ବର୍ଷରେ ୫୦ରୁ ଅଧିକ ବିମାନ ଚଳାଇବାକୁ ଯୋଜନା କରୁଛୁ, ଯାହା ୫ ବର୍ଷରେ ୧୦୦ରୁ ଅଧିକ ହେବ।

ବିମାନ ଚଳାଚଳ କ୍ଷେତ୍ରରେ ଏହା ଏକ ଇତିହାସ । କାରଣ ଦୁଇ ବର୍ଷ ପୂର୍ବେ ବ୍ୟବସାୟ ବନ୍ଦ କରିଦେଇଥିବା ଯେକୌଣସି ବିମାନ କମ୍ପାନୀକୁ ପୁନର୍ଜୀବିତ କରାଯାଉଛି। ଏହି ଐତିହାସିକ ବିମାନ ଯାତ୍ରାରେ ଆମେ ଅଂଶୀଦାର ହେବାକୁ ପ୍ରସ୍ତୁତ ବୋଲି ଜଲାନ କହିଛନ୍ତି |

ସୂଚନାଯୋଗ୍ୟ, ଆର୍ଥିକ ସଙ୍କଟ ଯୋଗୁଁ ଏପ୍ରିଲ ୨୦୧୯ରେ‌ ଜେଟ୍ ଏୟାରୱେଜ୍ ନିଜ ବିମାନସେବା ବନ୍ଦ କରିଥିଲା ।